ଭରତପୁର ଖଣି ଦୁର୍ଘଟଣା:କୋଇଲା ମନ୍ତ୍ରଣାଳୟ ହସ୍ତକ୍ଷେପ କରୁ: ବିଜେଡ

ତାଳଚେର,୩ା୮(ନି.ପ୍ର.)

ଭରତପୁର କୋଇଲା ଖଣି ଦୁର୍ଘଟଣା ଏମ୍‌ସିଏଲ୍‌ର ଦାୟିତ୍ୱହୀନତା ଓ ଅବହେଳା ଯୋଗୁ ଘଟିଛି ବୋଲି ବିଜୁ ଜନତା ଦଳ ପକ୍ଷରୁ ଅଭିଯୋଗ କରାଯିବା ସହ କୋଇଲା ମନ୍ତ୍ରଣାଳୟ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି। ଦଳ ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ଘଟଣାର ଗୁରୁତ୍ୱକୁ ଉପଲବ୍ଧି କରି ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ମୃତକଙ୍କ ପରିବାରକୁ ପ୍ରଦାନ କରି ସାରିଲେଣି। ହେଲେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ମୃତ ଶ୍ରମିକଙ୍କ ପରିବାରର ନିଯୁକ୍ତି, କ୍ଷତିପୂରଣ ସମାଧାନ କରିବା ଉପରେ ଏଯାଏ ପଦକ୍ଷେପ ନେଇନାହାନ୍ତି। ସ୍ଥାନୀୟ ଭାଜପା ପକ୍ଷରୁ ୭ଦିନ ଧରି ଖଣି ବନ୍ଦ ଆନ୍ଦୋଳନ କରାଯାଇଥିଲେ ବି ବିନା ସମାଧାନରେ ଦଳ ଆନ୍ଦୋଳନରୁ ଓହରି ଯାଇଥିଲା। ତେଣୁ ପ୍ରାଣ ହରାଇଥିବା ଶ୍ରମିକମାନଙ୍କ ପରିବାରକୁ ସ୍ଥାୟୀ ନିଯୁକ୍ତି, ୩ କୋଟି ଟଙ୍କା ଲେଖାଏ କ୍ଷତିପୂରଣ ରାଶି ପ୍ରଦାନ କରାଯିବା ସହ କୋଇଲା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବାକୁ ବିଜୁ ଜନତା ଦଳ ତାଳଚେର ଉପସଭାପତି ସନ୍ତୋଷ ପ୍ରଧାନ, ମହିଳା ନେତ୍ରୀ ସେଫାଳି ବଳ, ଜିଲା ଯୁବ ଜନତା ଦଳ ସାଧାରଣ ସମ୍ପାଦକ ରାଜେଶ ଦାସ, ଲିପୁନା ଭୁକ୍ତା, ଭୁବନାନ୍ଦ ବିଶ୍ୱାଳ, ଦିଲୀପ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।