ଭଦ୍ରକ-ଧାମରା କୃଷକ ମଞ୍ଚର ଦାବି:ଜମିହରା ପରିବାରର ଜଣଙ୍କୁ ଦିଆଯାଉ ନିଯୁକ୍ତି

ତିହିଡ଼ି, ୨୧।୭ (ଡି.ଏନ.ଏ.) – ଭଦ୍ରକ-ଧାମରା କୃଷକ ମଞ୍ଚ ପକ୍ଷରୁ ଧାମରା ପୋର୍ଟ କମ୍ପାନୀ ଲିମିଟେଡ୍‌(ଡିପିସିଏଲ) ନିକଟରେ ବିଭିନ୍ନ ସମୟରେ କେତେକ ଦାବି ଉପସ୍ଥାପନ କରାଯାଇଥିଲେ ମଧ୍ୟ ତାହା ଏଯାବତ୍‌ ପୂରଣ ହୋଇ ନ ଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମଞ୍ଚର କର୍ମକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କର୍ମକର୍ତ୍ତାମାନେ ରବିବାର ତିହିଡ଼ି ଡାକବଙ୍ଗଳାରେ କୋର୍‌ କମିଟି ବୈଠକରେ ମିଳିତ ହୋଇ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ମଞ୍ଚର କୋର୍‌ କମିଟି ଉପଦେଷ୍ଟା ସଚିକାନ୍ତ ନାୟକ ଏଥିରେ ପୌରୋହିତ୍ୟ କରିଥିଲେ। ଗତ ୧୦ ତାରିଖରେ ଜିଲାପାଳଙ୍କ ସାଳନ୍ଦୀ ସଭାଗୃହ ପ୍ରକୋଷ୍ଠରେ ହୋଇଥିବା ଆଲୋଚନା ସମ୍ପର୍କରେ କୃଷକ ମଞ୍ଚର ସାଧାରଣ ସମ୍ପାଦକ ପ୍ରକାଶ କୁମାର ଜେନା ଉପସ୍ଥାପନ କରିଥିଲେ। ସଦସ୍ୟ ବିଶ୍ୱକେଶରୀ ମହାନ୍ତି ଭଦ୍ରକ-ଧାମରା ରେଳପଥ ପାଇଁ ଜମି ହରାଇଥିବା ପରିବାର ଅଭାବ ଅସୁବିଧାରେ ଦିନ କାଟୁଥିବାରୁ ସେହି ପରିବାରର ଜଣଙ୍କୁ ଧାମରା ବନ୍ଦରରେ ନିଯୁକ୍ତି ଦିଆଯାଉ ବୋଲି ଦାବି କରିଛନ୍ତି। ୨୦୧୭ରେ ପୂର୍ବତନ ଜିଲାପାଳ ଲକ୍ଷ୍ମୀନାରାୟଣ ମିଶ୍ର ଧାମରା କୃଷକ ମଞ୍ଚର ପ୍ରସ୍ତାବ ଅନୁଯାୟୀ ୧୦ଜଣଙ୍କୁ ନିଯୁକ୍ତି ଦେବା ପାଇଁ ଡିପିସିଏଲ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ତାହା ଏଯାଏ କାର୍ଯ୍ୟକାରୀ ନ ହେବା ପରିତାପର ବିଷୟ ବୋଲି ବୈଠକରେ କୁହାଯାଇଥିଲା। କୃଷକ ମଞ୍ଚର ସଦସ୍ୟ ନରେନ୍ଦ୍ର ସାହୁ, ବସନ୍ତ ନାୟକ, ପ୍ରଭାତ ରାଉଳ, ଶଶିକାନ୍ତ ଜେନା, ସୁବାସ ନନ୍ଦୀ, ଆଇନଜୀବୀ ମାନଭଞ୍ଜନ ବଳ, ପ୍ରଫୁଲ୍ଲ ପାଢ଼ୀ ଓ ସୁଶାନ୍ତ ଘଡ଼େଇ ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।