ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ: ଶଯ୍ୟା ସଂଖ୍ୟା ୩୦୦କୁ ବୃଦ୍ଧି

ଭୁବନେଶ୍ୱର, ୭ା୧(ବ୍ୟୁରୋ): ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯାଇ ୩୦୦ ହେବ। ‘ମୋ ସରକାର’ ଟିମ୍‌ ଭଦ୍ରକ ପରିଦର୍ଶନ କରିବା ପରେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏନେଇ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ଉନ୍ନତି ତଥା ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ ୭ (ଜି+୬) ମହଲା ବିଶିଷ୍ଟ ଏକ ନୂତନ ଜିଲା ମୁଖ୍ୟ ଚିକିତ୍ସାଳୟ(ଡିଏଚ୍‌ଏଚ୍‌) କମ୍ପ୍ଲେକ୍ସ ନିର୍ମାଣ କରାଯିବ। ଏଥିରେ ୩୦୦ ଶଯ୍ୟା ରହିବ। ବର୍ତ୍ତମାନ ଯେଉଁ ବିଲ୍‌ଡିଂରେ ଜିଲା ମୁଖ୍ୟ ଚିକିତ୍ସାଳୟ କାର୍ଯ୍ୟ କରୁଛି, ସେଥିରେ ୧୯୧ ଶଯ୍ୟା ରହିଛି। ଅଧିକ ରୋଗୀଙ୍କୁ ସେବା ଯୋଗାଇଦେବା ପାଇଁ ଏକ ଅନ୍ତରୀଣ ପଦକ୍ଷେପ ଭାବେ ଶଯ୍ୟା ସଂଖ୍ୟାକୁ ବଢ଼ାଯାଇଛି। ଏହାସହ ରୋଗୀମାନଙ୍କ ଆଟେଣ୍ଡାଣ୍ଟମାନଙ୍କ ଲାଗି ୨୦ ଲକ୍ଷ ଟଙ୍କା ବ୍ୟୟରେ ଏକ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବା ସହ ଓପିଡି ପଞ୍ଜୀକରଣ ପାଇଁ ଅଧିକ କାଉଣ୍ଟର ମଧ୍ୟ ଖୋଲାଯିବ। ରୋଗୀ ଓ ଅଟେଣ୍ଡାଣ୍ଟଙ୍କ ସୁବିଧା ପାଇଁ ମୁଖ୍ୟ ଚିକିତ୍ସାଳୟ ପରିସରରେ ପାର୍କିଂ ଏରିଆର ବିକାଶ କରାଯିବ। ଭଦ୍ରକ ଜିଲାର ସଦର ମହକୁମା ଚିକିତ୍ସାଳୟ ରୋଗୀ କଲ୍ୟାଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ରୋଗୀ କଲ୍ୟାଣ ସମିତିକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ସୂଚନାଯୋଗ୍ୟ, ‘ମୋ ସରକାର’ ଟିମ୍‌ର ଭଦ୍ରକ ଗସ୍ତ ପରେ ରୋଗୀଙ୍କଠାରୁ ମତାମତ ଏବଂ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତିକରି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।