ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ୨ ଦିବ୍ୟାଙ୍ଗଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ

ଭଦ୍ରକ ଅଫିସ,୬ା୬- ଭଦ୍ରକ ଜିଲା ପ୍ରଶାସନ ପକ୍ଷରୁ ଗୁରୁବାର ୨ ଦିବ୍ୟାଙ୍ଗ ଯୁବକଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରାଯାଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଜ୍ଞାନରଞ୍ଜନ ଦାସ ବାସୁଦେବପୁର ଲୁଙ୍ଗା ଗ୍ରାମର ମନୋରଞ୍ଜନ ସେନାପତି ଓ ଭଦ୍ରକ ସହରସ୍ଥିତ ନୂଆବଜାରର ଦେବବ୍ରତ ମହାପାତ୍ରଙ୍କୁ କୃତ୍ରିମ ଅଙ୍ଗ ପ୍ରଦାନ କରିଛନ୍ତି। ଲୁଙ୍ଗାର ମନୋରଞ୍ଜନ ମହାରାଷ୍ଟ୍ରରେ ଏକ ଦୁର୍ଘଟଣାରେ ଗୋଟିଏ ଗୋଡ଼ ଓ ଦେବବ୍ରତ ବୋନ କ୍ୟାନ୍‌ସରରେ ଗୋଟିଏ ଗୋଡ଼ ହରାଇଥିଲେ। ଏହି କୃତ୍ରିମ ଅଙ୍ଗ ପାଇବା ପରେ ଦୁଇଜଣ ଅନ୍ୟ ଉପରେ ନିର୍ଭର ନ କରି ଏଣିକି ନିଜେ ଚାଲିବେ ବୋଲି ପ୍ରତିକ୍ରିୟାରେ ଖୁସି ପ୍ରକାଶ କରିଥିଲେ। ୨ ଯୁବକଙ୍କ ଆଖିରେ ଖୁସିର ଲୁହ ଦେଖି ଜିଲାପାଳଙ୍କ କାର୍ଯ୍ୟାଳୟର ଅନ୍ୟ କର୍ମଚାରୀମାନେ ମଧ୍ୟ ଖୁସିବ୍ୟକ୍ତ କରିଥିଲେ। ଜିଲା ସାମାଜିକ ସୁରକ୍ଷା ଅଧିକାରୀ ହରେନ୍ଦ୍ର କୁମାର ଦେହୁରୀ, ସିଆର୍‌ଏସ୍‌ଆର୍‌ ମୁଖ୍ୟ ଭଗବାନ ପରଡ଼ା ପ୍ରମୁଖ ଉପସ୍ଥିତ ଥିଲେ।