ଭଦ୍ରକର ୩ ଆକ୍ରାନ୍ତ ବାସୁଦେବପୁର ଅଞ୍ଚଳର: ସମସ୍ତ ପଜିଟିଭ୍‌ଙ୍କର ରହିଛି କୋଲକାତା ଲିଙ୍କ୍‌

ଭୁବନେଶ୍ୱର/ବାସୁଦେବପୁର ୨୨।୪(ବ୍ୟୁରୋ/ଡି.ଏନ୍‌.ଏ.): ରାଜ୍ୟରେ ମଙ୍ଗଳବାର ପୁଣି ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମସ୍ତ ଆକ୍ରାନ୍ତ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି ଜଣାପଡ଼ିଛି। ଏମାନେ କୋଲକାତାରୁ ଫେରିଥିଲେ ବୋଲି ଭଦ୍ରକ ଜିଲା ପ୍ରଶାସନ ସୂଚନା ଦେଇଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ବାସୁଦେବପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି।
ଏହି ନୂଆ ୩ ଆକ୍ରାନ୍ତଙ୍କ ବିଷୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚିହ୍ନଟ ୩ ଜଣ ପୁରୁଷ। ସେମାନଙ୍କ ବୟସ ୩୫ ବର୍ଷ, ୪୦ ବର୍ଷ ଓ ୫୫ ବର୍ଷ। ଏହି ୩ ଜଣ ଆଗରୁ ଚିହ୍ନଟ ହୋଇଥିବା କରୋନା ପଜିଟିଭ୍‌ଙ୍କ ସହଯାତ୍ରୀ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇସାରିଲେଣି। ୫୧ ଜଣ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି।