ଭଦ୍ରକରେ ଶଟ୍‌ଡାଉନ୍‌ ପ୍ରଭାବ, ଖାଁ ଖାଁ ରାସ୍ତାଘାଟ

ଭଦ୍ରକ ଅଫିସ,୬।୬: କରୋନା ମହାମାରୀକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ଜୁନ ମାସର ପ୍ରତ୍ୟେକ ସପ୍ତାହର ଶନିବାର ଓ ରବିବାର ଦୁଇଦିନ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ପୂର୍ବରୁ ଶଟ୍‌ଡାଉନ୍‌ ନିୟମକୁ କଡାକଡି ଭାବେ ପାଳନ କରାଯାଉଥିଲା। ତେବେ ନୂତନ ଭାବେ ଏହି ଶଟ୍‌ଡାଉନ୍‌ କଟକଣା ଶନିବାର ପ୍ରଥମ କରି ପାଳନ କରାଯାଉଛି। ଯାହାର ପ୍ରଭାବ ଭଦ୍ରକ ଜିଲାରେ ମଧ୍ୟ ଦେଖିବାକୁ ମିଳିଛି। ଶଟ୍‌ଡାଉନ୍‌ ଯୋଗୁଁ ସହର ସମ୍ପୂର୍ଣ୍ଣ ଜନଶୂନ୍ୟ ହୋଇ ପଡ଼ିଥିବା ବେଳେ ବିଭିନ୍ନ ଛକ ମାନଙ୍କରେ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଏତଦ୍‌ ବ୍ୟତୀତ ଜ଼ିଲାରେ ୧୫ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଏବଂ ସହରରେ ମୋବାଇଲ ଭ୍ୟାନକୁ ନିୟୋଜିତ କରାଯାଇଛି। ଏଥିସହ ଜ଼ିଲାର ସୀମାନ୍ତ ଅଞ୍ଚଳକୁ ପୋଲିସ ସିଲ୍‌ କରିଛି। ସୂଚନାଯୋଗ୍ୟ, ଜିଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ମୁଖ୍ୟତଃ ଗାଁ ମାନଙ୍କରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପର୍ଯ୍ୟନ୍ତ ଜ଼ିଲାରେ ମୋଟ ୧୩୭ ଆକ୍ରାନ୍ତ ଚି଼ହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୦୬ ଜଣ ସୁସ୍ଥ ହୋଇ ଘରକୁ ଫେରଛନ୍ତି। ବିଶେଷ କରି ବିଭିନ୍ନ ରାଜ୍ୟରୁ ଫେରିଥିବା ପ୍ରବାସୀମାନଙ୍କ କ୍ଷେତ୍ରରେ କରୋନା ଲକ୍ଷଣ ଚି଼ହ୍ନଟ ହୋଇଛି।