Categories: ବାଣିଜ୍ୟ

ଭଡାରେ ଦିଆଯିବ ବିଏସ୍‌ଏନ୍‌ଏଲ୍‌ର ଫାଇବର ନେଟ୍‌ଓ୍ବାର୍କ

ନୂଆଦିଲ୍ଲୀ,୨୩-୬: ଭାରତ ସଞ୍ଚାର ନିଗମ ଲିମିଟେଡ(ବିଏସ୍‌ଏନ୍‌ଏଲ୍‌)ର ଫାଇବର ନେଟ୍‌ଓ୍ବାର୍କକୁ ଭଡାରେ ଦେବା ଲାଗି ଟେଲିକମ୍‌ ବିଭାଗ(ଡିଓଟି) ଖୁବଶୀଘ୍ର ଏକ ପ୍ରସ୍ତାବ ଆଗତ କରିବ। ଏହାଦ୍ୱାରା କମ୍ପାନୀର ନଗଦ ସମସ୍ୟା ଅନେକାଂଶରେ ସମାଧାନ ହୋଇଯିବ ବୋଲି ଅନୁମାନ କରାଯାଉଛି। ମିଡିଆ ରିପୋର୍ଟ ଅନୁଯାୟୀ, ବିଏସ୍‌ଏଲ୍‌ଏଲ୍‌ ନିକଟରେ ମୋଟ ୮ ଲକ୍ଷ ରୁଟ୍‌ କିଲୋମିଟର ଫାଇବର ଆଧାରିତ ନେଟ୍‌ଓ୍ବାର୍କ ରହିଛି। ଏହାକୁ ଅନ୍ୟ ଟେଲିକମ୍‌ କମ୍ପାନୀଗୁଡ଼ିକୁ ବ୍ୟବହାର ଲାଗି ଅନୁମତି ଦିଆଯିବ। ଏହାବାବଦରେ ରାଷ୍ଟ୍ରାୟତ୍ତ କମ୍ପାନୀ ଭଡା ପାଇବ। ବର୍ତ୍ତମାନ କମ୍ପାନୀ ନିକଟରେ ନଗଦ ସଙ୍କଟ ଏକ ସମସ୍ୟା ହୋଇ ଦେଖାଦେଇଛି। ଏହା ନିଜର ଆବଶ୍ୟକତା ପୂରଣ କରିପାରୁ ନାହିଁ। ସେହିପରି ଭିଆର୍‌ଏସ୍‌ ସ୍କିମ୍‌ ଲାଗୁ କରିବା ଲାଗି ଏହାକୁ ପ୍ରାୟ ୬୫୦୦ କୋଟି ଟଙ୍କାର ଆବଶ୍ୟକତା ରହିଛି। କମ୍ପାନୀକୁ ସରକାରଙ୍କଠାରୁ ବର୍ତ୍ତମାନ ୩୩୦୦ କୋଟି ଟଙ୍କା ପାଣ୍ଠି ମିଳିବ। ଡିଓଟିର ପ୍ରସ୍ତାବ ଗୃହିତ ହେଲେ ବିଏସ୍‌ଏନ୍‌ଏଲ୍‌ ବାର୍ଷିକ ୩୦ ହଜାର କୋଟି ଟଙ୍କା ଆୟ କରିବ। ଏହାବ୍ୟତୀତ କମ୍ପାନୀ ପଡ଼ି ରହିଥିବା ସମ୍ପତ୍ତିରୁ ମଧ୍ୟ ଆୟ କରିପାରିବ। ସୂଚନାଥାଉ କି, ବିଏସ୍‌ଏନ୍‌ଏଲ୍‌ର କାର୍ଯ୍ୟକାରୀ ପୁଞ୍ଜି ଆବଶ୍ୟକତା ପୂରଣ ଲାଗି ଏସ୍‌ବିଆଇ ଇତିମଧ୍ୟରେ ୧୫୦୦ କୋଟି ଟଙ୍କାର ଋଣ ଦେବାକୁ ଯାଉଛି। ୧.୬୮ ଲକ୍ଷ କର୍ମଚାରୀ ଥିବା ଏହି ରାଷ୍ଟ୍ରାୟତ୍ତ ସଂସ୍ଥାରେ କର୍ମଚାରୀଙ୍କୁ ଠିକ୍‌ ସମୟରେ ବେତନ ଦେବାକୁ ନେଇ ଅସୁବିଧା ସୃଷ୍ଟି ହେଉଛି। କମ୍ପାନୀର ଆୟ କ୍ରମାଗତ ହ୍ରାସ ପାଇଚାଲିଛି। ୨୦୧୭ ଆର୍ଥିକ ବର୍ଷରେ ଏହାର କ୍ଷତିର ପରିମାଣ ୪୭୮୬ କୋଟି ଟଙ୍କା ଥିଲା ବେଳେ ୨୦୧୮ରେ ଏହା ୮ ହଜାର କୋଟି ଟଙ୍କାକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଏହା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Share