ଭଡ଼ାଟିଆଙ୍କୁ ୬୨ ହଜାର ଛାଡ଼ କଲେ ଘର ମାଲିକ

ଭୁବନେଶ୍ୱର,୧୧ା୪ (ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନକ୍ରମେ ଆଉଜଣେ ଘର ମାଲିକ ବଦାନ୍ୟତା ଦେଖାଇଛନ୍ତି। ସେ ମାସକର ଘର ଭଡ଼ା ବାବଦକୁ ୬୨ ହଜାର ଟଙ୍କା ଛାଡ କରିଛନ୍ତି। ଘର ମାଲିକ ଜଣକ ହେଲେ ରସୁଲଗଡ଼ର ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ। ତାଙ୍କର ଏହି ନିଷ୍ପତ୍ତି ବହୁ ଭଡାଟିଆଙ୍କୁ ଆଶ୍ୱସ୍ତି ଦେଇଛି। ପ୍ରଶାନ୍ତଙ୍କର ୨୬ଟି ଘର ସମେତ ଟ୍ରକ, ଦୋକାନ ଓ ହୋଟେଲ ଭଡାକୁ ଲାଗିଛି। ତାଙ୍କ ଘରେ କେତେଜଣ ଛାତ୍ରଛାତ୍ରୀ ଓ ଚାକିରିଆ ଭଡ଼ାରେ ରହୁଛନ୍ତି। କରୋନା ପାଇଁ ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ ଘୋଷଣା କରାଯାଥିବାବେଳେ ଭଡ଼ାଟିଆମାନେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ଏନେଇ ପ୍ରଶାନ୍ତ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ ଶୁଣିବା ପରେ ମୁଁ ଘରଭଡ଼ା ଛାଡ଼ କରିଛି। ଆଗକୁ ଏହି ସ୍ଥିତି ଜାରି ରହିଲେ ଆଉ ଗୋଟିଏ ମାସର ଭଡ଼ା ଛାଡ଼ କରିବି ବୋଲି ପ୍ରଶାନ୍ତ କହିଛନ୍ତି। ଏପରିକି ସେ ମଧ୍ୟ ଅନ୍ୟ ଘର ମାଲିକଙ୍କୁ ଏଭଳି ଭଡାଟିଆଙ୍କୁ ସହଯୋଗ କରିବାକୁ ନିବେଦନ କରିଛନ୍ତି। ପୂର୍ବରୁ ପଳାଶୁଣିର ଜରେ ଘର ମାଲିକ ଭଡ଼ା ଛାଡ଼ କରିବା ପାଇଁ ଘୋଷଣା କରିଥିଲେ।