ଭଡ଼ାଘରୁ ଯୁବକଙ୍କ ଗଳିତ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ୱର, ୧୫।୬(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାରସ୍ଥିତ ଏକ ଭଡ଼ାଘରୁ ଝୁଲନ୍ତା ଅବସ୍ଥାରେ ପୋଲିସ ଏକ ଗଳିତ ମୃତଦେହ ଉଦ୍ଧାର କରିଛି। ମୃତକ ହେଲେ ନିଆଳି ଚାରିଛକ ଅଞ୍ଚଳର ବିଭୁପ୍ରସାଦ ମହାରଣା(୨୮)।
ସୂଚନାଯୋଗ୍ୟ, ବିଭୁପ୍ରସାଦ ୨ ବର୍ଷ ହେବ ଇଞ୍ଜିନିୟରିଂ ପାଠପଢ଼ା ସାରି ଚାକିରି ଅନ୍ବେଷଣରେ ଥିଲେ। ଶ୍ରୀବିହାର ଅଞ୍ଚଳର ଏକ ଭଡ଼ାଘରେ ତାଙ୍କ ଭାଇଙ୍କ ସହ ରହୁଥିଲେ। ବିଭୁପ୍ରସାଦ ବିଭିନ୍ନ ଜାଗାରେ ଚାକିରି ପାଇଁ ଆବେଦନ କରିଥିଲେ ମଧ୍ୟ ଇଚ୍ଛା ମୁତାବକ ଚାକିରି ମିଳୁ ନ ଥିଲା। ଏଣୁ କିଛି ଦିନ ହେବ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ। ୩/୪ ଦିନ ତଳେ ତାଙ୍କ ଭାଇ କୌଣସି କାମରେ ଓଡ଼ିଶା ବାହାରେ ରହୁଥିବା ସମ୍ପର୍କୀୟଙ୍କ ପାଖକୁ ଯାଇଥିଲେ। ଏହି ସମୟରେ ବିଭୁ ପ୍ରସାଦ ବେକରେ ସ୍କ୍ରିନ୍‌ କପଡ଼ା ବାନ୍ଧି ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ। ଶନିବାର ଘର ମାଲିକ ତାଙ୍କୁ ଦେଖା କରିବାକୁ ଯାଇଥିଲେ। ଘର କବାଟ ବନ୍ଦ ଥିବାବେଳେ ଭିତରୁ ଦୁର୍ଗନ୍ଧ ବାହାରୁଥିବାରୁ ସେ ସନ୍ଦେହ କରି ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।