ଭଟଲିରେ ରଥଯାତ୍ରା ପ୍ରସ୍ତୁତି, ଜୋରଦାର ଚାଲିଛି ରଥଚକ ନିର୍ମାଣ: ସରକାରୀ ଅନୁଦାନ ମିଳୁ ନ ଥିବା ଅଭିଯୋଗ

ଭଟଲି,୧।୬(ଡି.ଏନ୍‌.ଏ.): ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି ବରଗଡ଼ ଜିଲା ଭଟଲି ଶ୍ରୀ ଶ୍ରୀ ଦଧିବାମନ ଧାମ। ଏଠାରେ ପୂଜା ପାଆନ୍ତି ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଶ୍ରୀ ଦଧିବାମନ। ଏହି ପୀଠରେ ମଧ୍ୟ ପୁରୀ ଭଳି ବାରମାସରେ ତେର ପର୍ବ ପାଳନ ହେଉଥିବାବେଳେ ରଥଯାତ୍ରା ବେଶ୍‌ ପ୍ରସିଦ୍ଧି ଲାଭ କରିଛି। ତେବେ ଆଗକୁ ରଥଯାତ୍ରା ନେଇ ଶ୍ରୀମନ୍ଦିରରେ ପ୍ରସ୍ତୁତି ଜୋରଦାର ଚାଲିଛି। ରଥ କାରିଗରଠାରୁ ଆରମ୍ଭ କରି ସମସ୍ତ ସେବକ ସଜାଗ ହୋଇଉଠିଛନ୍ତି। ଏ ନେଇ ଅକ୍ଷୟତୃତୀୟାଠାରୁ ରଥ ତିଆରି କାମ ଆରମ୍ଭ ହୋଇଯାଇଥିବା ବେଳେ ଏବେ ଚକ ତିଆରି ଚାଲିଛି। ସେପଟେ ଆସନ୍ତା ଜୁଲାଇ ୪ ତାରିଖ ରଥଯାତ୍ରା ଅନୁଷ୍ଠିତ ହେବାକୁ ଥିବାବେଳେ ନେତ୍ରୋତ୍ସବ ପର୍ଯ୍ୟନ୍ତ ରଥକାମ ସମାପ୍ତ କରିବା ପାଇଁ କାରିଗରଙ୍କ ସମେତ ମନ୍ଦିର ଟ୍ରଷ୍ଟ ସଦସ୍ୟ ଏବଂ ପ୍ର୍ରଶାସନ ଆଶା ରଖିଛନ୍ତି ।
ମାତ୍ର ପୁରୀ ଶ୍ରକ୍ଷେତ୍ର ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଶେଷ ମାତ୍ରାରେ ସରକାରୀ ସାହାଯ୍ୟ ଯୋଗାଇଦେବା ସହିତ ପ୍ରଚୁର ପରିମାଣରେ ଅର୍ଥ ଯୋଗାଇ ଦେଉଥିବା ବେଳେ ପଶ୍ଚିମ ଓଡ଼ିଶା ଶ୍ରୀକ୍ଷେତ୍ର ଭଟଲି ପାଇଁ ସରକାରୀ ଅନୁଦାନ ଦେଉନଥିବାରୁ ଦଧିବାମନ ମହାପ୍ରଭୁଙ୍କ ପ୍ରତି ଅବହେଳା କରାଯାଉଥିବା ଉଭୟ କାରିଗର ଏବଂ ଶ୍ରଦ୍ଧାଳୁ ଅଭିଯୋଗ କରିଛନ୍ତି। ଅଦ୍ୟାବଧି ସରକାରଙ୍କ ଜଙ୍ଗଳ ବିଭାଗ ପକ୍ଷରୁ କୌଣସି ପ୍ରକାର ରଥକାଠ ଯୋଗାଯାଇନଥିବାବେଳେ ବିଭିନ୍ନ ଗ୍ରାମରୁ ଗ୍ରାମବାସୀଙ୍କ ପକ୍ଷରୁ କାଠ ସଂଗ୍ରହ କରି ଚକ କାମ ଚାଲିଥିବା ରଥ କାରିଗର ମାନେ କହିଛନ୍ତି ।
୧୯୫୯ ମସିହାରୁ ମନ୍ଦିରକୁ ଦେବୋତ୍ତର ବିଭାଗ ନିଜ ହାତକୁ ନେଇଥିବାବେଳେ ପ୍ରଶାସନ ପକ୍ଷରୁ ମନ୍ଦିର ଠିକ୍‌ ଭାବେ ରକ୍ଷଣାବେକ୍ଷଣ ହେଉନଥିବା ଅଭିଯୋଗ ହେଉଛି ।