ଭଞ୍ଜନଗରରେ କରୋନା ଭୟ: ପରୀକ୍ଷା କରାଇବାକୁ କଟକ ଗଲେ ଡାକ୍ତରୀ ଛାତ୍ର

ଭଞ୍ଜନଗର,୧୫।୨ (ଡି.ଏନ.ଏ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ କରୋନା ଭୂତାଣୁ ଭୟ ଦେଖାଦେଇଛି। ଗତ ଜାନୁୟାରୀ ୧୪ରେ ଚାଇନାରୁ ଫେରିଥିବା ଜଣେ ଡାକ୍ତରୀ ଛାତ୍ରଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିଥାଇପାରେ ବୋଲି ସନ୍ଦେହ କରାଯାଉଛି। ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଛାତ୍ରଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ଶୁକ୍ରବାର ରାତି ପ୍ରାୟ ୯ଟାରେ କଟକ ବଡ଼ ମେଡିକାଲକୁ ପଠାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳବାସୀ ଆତଙ୍କିତ ହୋଇଛନ୍ତି। ଅନ୍ୟପକ୍ଷରେ ଲୋକେ ଭୟଭୀତ ନ ହେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ ଭଞ୍ଜନଗର ବୁଲିବାକୁ ଆସିଥିବା ଦୁଇ ବିଦେଶୀ ପର୍ଯ୍ୟଟକଙ୍କ ପାସ୍‌ପୋର୍ଟ ମଧ୍ୟ ପୋଲିସ ଯାଞ୍ଚ କରିଛି। ସେମାନେ ଆମେରିକାର ବୋଲି ଜଣାପଡ଼ିଛି। ଚାଇନାରେ ଡାକ୍ତରୀ ପାଠ ପଢ଼ୁଥିବା ଭଞ୍ଜନଗରର ଛାତ୍ରଜଣକ ନିଜ ଗ୍ରାମକୁ ଫେରିବାର ମାସେ ବିତିଲାଣି। କରୋନା ଭୂତାଣୁ ସଂକ୍ରମଣ ନେଇ ତାଙ୍କଠାରେ କୌଣସି ଲକ୍ଷଣ ଦେଖାଯାଇ ନ ଥିଲା। ମାତ୍ର ଶୁକ୍ରବାର ସନ୍ଧ୍ୟାରେ କେତେଜଣ ଲୋକ ସମ୍ପୃକ୍ତ ଛାତ୍ରଙ୍କୁ ନେଇ ଭୟଭୀତ ହୋଇ ତାଙ୍କ ସମ୍ପର୍କରେ ସ୍ଥାନୀୟ ପୋଲିସ ପ୍ରଶାସନକୁ ଜଣାଇଥିଲେ। ରାତି ପ୍ରାୟ ସାଢ଼େ ୮ଟାରେ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ଆଣି ପ୍ରାଥମିକ ଚିକତ୍ସା କରାଯାଇଥିଲା। ତେବେ ଏଠାରେ କୌଣସି ବ୍ୟବସ୍ଥା ନଥିବା ଯୋଗୁ କଟକ ବଡ଼ ମେଡିକାଲକୁ ପଠାଇ ଦିଆଯାଇଛି। ବିଦେଶରୁ ଯେଉଁମାନେ ଗତ କିଛିଦିନ ମଧ୍ୟରେ ଆସିଛନ୍ତି, ସେମାନେ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇ ନେବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।