ଭଙ୍ଗାଗଲା ଶ୍ରୀଲିଙ୍ଗରାଜ ମାର୍କେଟ କମ୍ଲେକ୍ସ

ପୁରୁଣା ଭୁବନେଶ୍ୱର,୨୯।୧୧(ଡି.ଏନ୍‌.ଏ.): ଦୀର୍ଘ ବର୍ଷ ପରେ ଶ୍ରୀ ଲିଙ୍ଗରାଜ ମାର୍କେଟ କମ୍ଲେକ୍ସକୁ ଶୁକ୍ରବାର ଭଙ୍ଗାଯାଇଛି। ପୂର୍ବାହ୍ନରେ ବିଡିଏ ଓ ବିଏମ୍‌ସିର ମିଳିତ ସ୍କ୍ବାର୍ଡ ଏବଂ ଏକ ପ୍ଲାଟୁନ୍‌ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ବିଲ୍ଡିଂକୁ ଭଙ୍ଗାଯିବା କାର୍ଯ୍ୟ ଆରମ୍ଭ କରାଯାଇଥିବା ସୂଚନା ମିଳିଛି।

ଉକ୍ତ ମାର୍କେଟ କମ୍ଲେକ୍ସ ୧୯୮୬ ଅଗଷ୍ଟ ୩୧ରେ ଉଦ୍‌ଘାଟିତ ହୋଇଥିଲା। ଦୀର୍ଘ ୩୧ ବର୍ଷ ପରେ ଏହି ମାର୍କେଟ କମ୍ଲେକ୍ସରେ ଥିବା ୧୦୮ଟି ଦୋକାନଘର ଦୁର୍ବଳ ହୋଇପଡ଼ିଥିଲା। ୬ ବର୍ଷ ପୂର୍ବରୁ ବିଲ୍ଡିଂ ଅସୁରକ୍ଷିତ ବୋଲି ବିଭାଗ ଘୋଷଣା କରିଥିଲେ ହେଁ ଏଯାବତ ଭାଙ୍ଗିବା ନେଇ ବିଭିନ୍ନ କାରଣରୁ ଦିନ ଗଡ଼ିଚାଲିଥିଲା। ହେଲେ ଶେଷରେ ସକାଳେ ବିଡିଏର ଆଡିସନାଲ କମିଶନର ହରିଶ ଚନ୍ଦ୍ର ନାୟକ, ଏନ୍‌ଫୋର୍ସମେଣ୍ଟ ଅଫିସର ପ୍ରମୋଦ କୁମାର ପାତ୍ର, ବିଏମ୍‌ସି ନୋଡାଲ ଅଫିସର ରୂପକ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଏହି ଭଙ୍ଗା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଦୁଇଦିନ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଭଙ୍ଗାଯିବ ବୋଲି ବିଡିଏ ପକ୍ଷରୁ କୁହାଯାଇଛି।