Categories: ଜାତୀୟ

‘ଭଗବାନ କହିଲେ ବି କ୍ଷମାଦେବିନି’

ନୂଆଦିଲ୍ଲୀ,୧୯ା୧(ପି.ଟି.): ଦିଲ୍ଲୀର ପାରାମେଡିକାଲ ଛାତ୍ରୀ ଗଣବଳାତ୍କାର ଓ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ଅପରାଧୀମାନଙ୍କୁ କ୍ଷମା କରିଦେବା ପାଇଁ ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂ କରିଥିବା ଅନୁରୋଧକୁ ନିର୍ଭୟାର ମାଆବାପା ଅଗ୍ରାହ୍ୟ କରିଦେଇଛନ୍ତି। ଭଗବାନ କହିଲେ ବି ସେ କ୍ଷମା ଦେବେନାହିଁ ବୋଲି ନିର୍ଭୟାଙ୍କ ମାଆ ଆଶା ଦେବୀ କହିଛନ୍ତି। ଫେବୃୟାରୀ ୧ ସକାଳ ୬ଟାରେ ନିର୍ଭୟା ଅପରାଧୀମାନଙ୍କୁ ଫାଶୀ ଦେବା ପାଇଁ ଦିଲ୍ଲୀର ପଟିଆଲା ହାଉସ୍‌ କୋର୍ଟ ଶୁକ୍ରବାର ଓ୍ବାରେଣ୍ଟ ଜାରି କରିବା ପରେ ଜୟସିଂ ଟୁଇଟ୍‌ କରିଥିଲେ। ସେ ନିର୍ଭୟା ମାଆଙ୍କୁ କହିଥିଲେ, ଆପଣଙ୍କ ଯନ୍ତ୍ରଣାକୁ ମୁଁ ସମ୍ପୂର୍ଣ୍ଣ ହୃଦୟଙ୍ଗମ କରିପାରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ହତ୍ୟା ମାମଲାରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ନଳିନୀ ଶ୍ରୀହରନ୍‌ଙ୍କୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କ୍ଷମା ଦେଇଥିଲେ। ସୋନିଆଙ୍କ ହସ୍ତକ୍ଷେପ ଯୋଗୁ ନଳିନୀଙ୍କ ମୃତ୍ୟୁଦଣ୍ଡାଦେଶକୁ ଆଜୀବନ କାରାଦଣ୍ଡରେ ପରିବର୍ତ୍ତନ କରାଯାଇଥିଲା। ସୋନିଆଙ୍କ ଏହି ଉଦାହରଣକୁ ଆଶା ଦେବୀ ଅନୁକରଣ କରିବାକୁ ଜୟସିଂ ଅନୁରୋଧ କରିଥିଲେ।
ଅନ୍ୟପକ୍ଷରେ ଆଶା ଦେବୀ କହିଛନ୍ତି, ଜୟସିଂ ଏଭଳି ପ୍ରସ୍ତାବ ଦେବାକୁ କିପରି ସାହସ କଲେ ତାହା ସେ ବିଶ୍ୱାସ କରିପାରୁନାହାନ୍ତି। ଏଭଳି ପ୍ରସ୍ତାବ ଦେବାକୁ ସେ କିଏ ବୋଲି ନିର୍ଭୟାଙ୍କ ମାଆ ପ୍ରଶ୍ନ କରିଛନ୍ତି। ଅପରାଧୀମାନଙ୍କୁ ଫାଶୀ ଦିଆଯିବା ସାରା ଦେଶ ଚାହୁଁଛି। ଜୟସିଂଙ୍କ ଭଳି କେତେଜଣ ଲୋକଙ୍କ ପାଇଁ ବଳାତ୍କାର ପୀଡ଼ିତାମାନଙ୍କୁ ନ୍ୟାୟ ମିଳୁନାହିଁ ବୋଲି ଆଶା ଦେବୀ କହିଛନ୍ତି। ୨୦୧୨ ଡିସେମ୍ବର ୧୬ ରାତିରେ ୨୩ ବର୍ଷୀୟା ନିର୍ଭୟାଙ୍କୁ ଏକ ଚଳନ୍ତା ବସ୍‌ରେ ଗଣବଳାତ୍କାର ପରେ ଫିଙ୍ଗିଦିଆଯାଇଥିଲା। ୧୪ଦିନ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ସିଙ୍ଗାପୁରର ଏକ ହସ୍ପିଟାଲରେ ନିର୍ଭୟା ଆଖିବୁଜିଥିଲେ। ଝିଅକୁ ନ୍ୟାୟ ଦେବା ପାଇଁ ୭ ବର୍ଷ ହେଲା ସଂଘର୍ଷ କରିଆସୁଥିବା ଆଶା ଦେବୀ କହିଛନ୍ତି, ଭଗବାନ ଯଦି ଆସି ତାଙ୍କୁ କ୍ଷମା ଦେବା ପାଇଁ କହନ୍ତି, ତଥାପି ସେ କ୍ଷମା ଦେଇପାରିବେ ନାହିଁ। ଜୟସିଂଙ୍କ ଟୁଇଟ୍‌ ଉପରେ ଆଶା ଦେବୀ କହିଛନ୍ତି, ତାଙ୍କର ମୋ ସହ ସମ୍ପର୍କ କ’ଣ। ସେ ଅପରାଧୀମାନଙ୍କ ସମ୍ପର୍କୀୟ ହୋଇଥାଇପାରନ୍ତି, ଯେଉଁଥିପାଇଁ ସେମାନଙ୍କ ପ୍ରତି ସହାନୁଭୂତି ଦେଖାଉଛନ୍ତି। ସେ ନାରୀଜାତି ପାଇଁ ଅପମାନ, ମାନବାଧିକାର ନାମରେ ଜୟସିଂ ବ୍ୟବସାୟ ଚଳାଇଥିବା ଆଶା ଦେବୀ ଅଭିଯୋଗ କରିଛନ୍ତି।
ସେହିପରି ନିର୍ଭୟାଙ୍କ ବାପା କହିଛନ୍ତି, ଇନ୍ଦିରା ଜୟସିଂ ତାଙ୍କର ଏଭଳି ପ୍ରସ୍ତାବ ପାଇଁ ଲଜ୍ଜିତ ହେବା ଉଚିତ। ସୋନିଆ ଗାନ୍ଧୀ ତାଙ୍କ ସ୍ବାମୀଙ୍କ ହତ୍ୟାକାରୀଙ୍କୁ କ୍ଷମା ଦେଇଥିଲେ। ତେବେ କଂଗ୍ରେସ ଅଧ୍ୟକ୍ଷାଙ୍କ ଭଳି ବିଶାଳ ହୃଦୟ ଆମର ନୁହେଁ ବୋଲି ନିର୍ଭୟାଙ୍କ ବାପା କହିଛନ୍ତି। ଏଥିସହିତ ଜୟସିଂ ତାଙ୍କ ପ୍ରସ୍ତାବ ପାଇଁ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।

Share