ଭଏସ୍‌ ଅଫ ନୟାଗଡ଼ ସିଜିନ୍‌ ୨: ବାଜି ମାରିଲେ ମୋନାଲିସା

ନୟାଗଡ଼ ଅଫିସ,୯ା୧୨: ଜିଲାର ଯୁବ କଣ୍ଠଶିଳ୍ପୀଙ୍କୁ ଲୋକଲୋଚନ ଆଣିବା ଲକ୍ଷ୍ୟରେ ନୟାଗଡ଼ କ୍ଲବ ପକ୍ଷରୁ ଆୟୋଜିତ ଭଏସ୍‌ ଅଫ ନୟାଗଡ଼ ସିଜିନ୍‌-୨ରେ ମୋନଲିସା ସ୍ବାଇଁ ବାଜି ମାରିଛନ୍ତି। ଶନିବାର ସନ୍ଧ୍ୟାରେ ପଠାଣିସାମନ୍ତ ଅଡ଼ିଟୋରିୟମରେ ହୋଇଥିବା ଫାଇନାଲ ରାଉଣ୍ଡରେ ୧୦ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ ଖଣ୍ଡପଡ଼ା ବ୍ଲକ ବରକୋଳି ଗ୍ରାମର ମୋନାଲିସା ବିଜେତା ହାଇଛନ୍ତି। ସିନ୍ଦୂରିଆର ଶେଖ ତୌଫିକ ଅଲ୍ଲୀ ଦ୍ୱିତୀୟ ସ୍ଥାନରେ ରହି ରନର୍ସ ଅପ୍‌ ହୋଇଛନ୍ତି। ମୋନାଲିସାଙ୍କୁ ଭଏସ୍‌ ଅଫ ନୟାଗଡ଼ ଟ୍ରଫି ସହିତ ୧୦ ହଜାର ଟଙ୍କା ଓ ଶେଖ୍‌ ତୌଫିକଙ୍କୁ ରନର୍ସ ଅପ୍‌ ଟ୍ରଫି ସହିତ ୫ ହଜାର ଟଙ୍କା ପୁରସ୍କାର ଭାବେ ପ୍ରଦାନ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟରେ ୧୧୦, ଦ୍ୱିତୀୟ ପର୍ଯ୍ୟାୟରେ ୩୨ ଜଣ ପ୍ରତିଯୋଗୀଙ୍କୁ ନେଇ ପୂର୍ବରୁ ଅଡ଼ିଶନ ସରିଥିଲା। ତୃତୀୟ ପର୍ଯ୍ୟାୟକୁ ମନୋନୀତ ହୋଇଥିବା ୧୦ ପ୍ରତିଯୋଗୀ ଶନିବାର ସନ୍ଧ୍ୟାରେ ସଙ୍ଗୀତ ପରିବେଷଣ କରିଥିଲେ। ବିଚାରକ ଭାବେ ସଙ୍ଗୀତ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ସାବତ, ବିଭୂତିଭୂଷଣ ଗଡ଼ନାୟକ, ଗାୟକ ସୌରଭ ନାୟକ ପ୍ରମୁଖ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ନୂଆ କଳାକାରଙ୍କୁ ଜନ୍ମ ଦେବ ବୋଲି ବିଚାରକମାନେ ପ୍ରକାଶ କରିଥିଲେ। କ୍ଲବ ସଭାପତି ପ୍ରମୋଦ ପଟ୍ଟନାୟକ, ଉପସଭାପତି ଅରୁଣ କୁମାର ମହାନ୍ତି, ସଂଯୋଜକ ମିହିର ରଞ୍ଜନ ନାୟକ, ସଙ୍ଗଠନ ସମ୍ପାଦକ ଧୀରେନ୍ଦ୍ର ପଟ୍ଟନାୟକ, ଶରତ ଚନ୍ଦ୍ର ଆଚାର୍ଯ୍ୟ, ଶ୍ରୀଧର ସାହୁ, ପ୍ରବୀର ପୃଷ୍ଟି, ପ୍ରସନ୍ନ ବସନ୍ତିଆ, ଆରିଫ ଖାଁ ପ୍ରମୁଖ ମଞ୍ଚ ପରିଚାଳନା କରିଥିଲେ।