Categories: ଅନୁଗୋଳ

ବ୍ୟାପୁଛି ଭୂତାଣୁ ଜନିତ ରୋଗ: ହଜାରେରୁ ଅଧିକ ଗୋରୁ ଆକ୍ରାନ୍ତ

ବନ୍ତଳା, ୧୫ା୯(ଡି.ଏନ.ଏ.) – ଅନୁଗୋଳ ବ୍ଲକର ବିଭିନ୍ନ ଗ୍ରାମରେ ବ୍ୟାପୁଛି ଭୂତାଣୁଜନିତ ରୋଗ। ଏହି ରୋଗରେ ଅଞ୍ଚଳର ବହୁ ଗୋରୁ ଆକ୍ରାନ୍ତ ହେଉଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଗୋରୁଙ୍କ ଚର୍ମରେ ସଂକ୍ରମଣ ହୋଇ ଏହା ଦେହସାରା ମାଡ଼ିଯାଉଛି। ବଡ ବଡ ଫୋଟକା ହେବା ସହ ଏହା ଫାଟି ଘା’ ହୋଇଯାଉଛି। ଫଳରେ ଗୋରୁ ଦୁର୍ବଳ ହୋଇପଡୁଛନ୍ତି। ଏଥିଯୋଗୁ ଗାଈର ଦୁଗ୍ଧ ଉତ୍ପାଦନ କ୍ଷମତା ମଧ୍ୟ ହ୍ରାସ ପାଉଥିବା ଚାଷୀମାନେ ଅଭିଯୋଗ କରିଛନ୍ତି।
ଅନୁଗୋଳର ବଅଁରପାଳ, ଛେଣ୍ଡିପଦା, ବନ୍ତଳା ଅଞ୍ଚଳରେ ବହୁ ସଂଖ୍ୟାରେ ଚାଷୀ ଗୋରୁ, ପୋଢ଼, ଛେଳି, ମେଣ୍ଢା ପାଳି ଗୁଜୁରାଣ ମେଣ୍ଟାନ୍ତି। ଏବେ ଏହି ଭୂତାଣୁ ଜନିତ ରୋଗ ବ୍ୟାପୁଥିବା ନେଇ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ଗୋଟିଏ ଗୋରୁଠାରୁ ଅନ୍ୟ ଗୋରୁଙ୍କୁ ଏହା ସଂକ୍ରମିତ ହେଉଛି। ବନ୍ତଳା ପ୍ରାଣୀଧନ ଚିକିତ୍ସାଳୟ ଅଧୀନ ପୋକତୁଙ୍ଗା, ନନ୍ଦପୁର, ଗୋବିନ୍ଦପୁର, ଧକୁଟା, ଶଙ୍ଖପୁର, ଖିଣ୍ଡା, ତଲଗଡ଼, ବେଡା ଶାସନ, ବସଲା, ହମାମିରା, ଇଙ୍କର ବନ୍ଧ, କୁମୁରିସିଙ୍ଗା, ବନ୍ତଳା, ବଲାସିଙ୍ଗା, ଛେଳିଆ ପଡା, ଗଡ଼ ତରାସ, ଖିଣ୍ଡା, ବଡ଼କାନ୍ତକୁଳ ଆଦି ୨୩ ଟି ରୁ ଊଦ୍ଧର୍‌ବ ଗ୍ରାମରେ ରୋଗ ବ୍ୟାପିବାରେ ଚାଲିଛି। ବେସରକାରୀ ଭାବେ ଅନୁଗୋଳ ବ୍ଲକ ଅଞ୍ଚଳରେ ପ୍ରାୟ ୮ ହଜାରରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ ହୋଇଥିଲେ ହେଁ ସରକାରୀ ରିପୋର୍ଟରେ ଏହି ସଂଖ୍ୟା ପ୍ରାୟ ୧ ହଜାର ରହିଛି। ଏହି ରୋଗ ପ୍ରଥମେ ବାଂଲାଦେଶ ଓ ପରେ ପଶ୍ଚିମବଙ୍ଗରେ ଦେଖାଦେଇଥିଲା। ପ୍ରାଣୀବିଭାଗ ଏହାକୁ ନଡୁଲାର୍‌ସ ସ୍କିନ ଡିଜିଜ କହୁଥିବାବେଳେ ଏହାର ପ୍ରତିକାର ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରତିଷେଧକ ଟିକା ବାହାରି ନ ଥିବା ଜଣାପଡିଛି। ଶୁକ୍ରବାର ଜିଲା ପ୍ରାଣୀ ଧନ ଉପ ନିର୍ଦେଶକ ଡ. ଭରତ ଚନ୍ଦ୍ର ଗଡ଼ ନାଏକ, ଜିଲା ପ୍ରାଣୀଧନ ଅଧିକାରୀ ଡା. ରଞ୍ଜିତ ନନ୍ଦ, ବନ୍ତଳା ପ୍ରାଣୀଧନ ଚିକିତ୍ସକ ଡା. ରାଜେଶ କୁମାର କବି ବେଡା ଶାସନ, ହମାମିରା, ବସଲା ଆଦି ଗ୍ରାମକୁ ଯାଇ ଲୋକମାନଙ୍କୁ ସଚେତନ କରାଇବା ସହିତ ଗୋରୁଙ୍କ ରକ୍ତ, ମଳ, ଚମଡା ନମୁନା ସଂଗ୍ରହ କରିଛନ୍ତି। ଏ ବିଷୟରେ ପ୍ରାଣୀଧନ ଉପ ନିର୍ଦ୍ଦେଶକ ଡ. ଭରତ ଚନ୍ଦ୍ର ଗଡ଼ନାଏକ କୁହନ୍ତି,ଏହା ଏକ ଭୂତାଣୁ ଜନିତ ରୋଗ। ନମୁନା ପରୀକ୍ଷା ପାଇଁ ପଠାଯାଇଛି। ଏଥିପାଇଁ ସ୍ବତନ୍ତ୍ର ଟିକା ବାହାରି ନାହିଁ। ଏଥିରେ ଗୋରୁଙ୍କ ମୃତ୍ୟୁ ହେଉନାହିଁ। ୫ରୁ ୬ ଦିନ ହୋଇ ଏହା କମିଯାଉଛି। ଅନୁଗୋଳ ବ୍ଲକର ୨୩ ଗ୍ରାମର ୯ ଶହରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ ହୋଇଛନ୍ତି। ଚିକିତ୍ସା ଚାଲିଛି।