ବ୍ୟାପୁଛି ଜଣ୍ଡିସ୍‌, ୨ ମୃତ: ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ବାଲେଶ୍ୱର ଅଫିସ,୧୯।୭-ବାଲେଶ୍ୱର ମ୍ୟୁନିସିପାଲିଟି ଅଧୀନ ୧ନଂ. ଓ ୨ନଂ. ୱାର୍ଡ଼ରେ ଜଣ୍ଡିସ୍‌ରେ ୨ଜଣ ପ୍ରାଣ ହରାଇଥିବାବେଳେ ୫୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏନେଇ ‘ଆଚ୍ଛା’ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଦୁଲାଲସେନ ଜଗଦେବଙ୍କୁ ଲିଖିତ ଅଭିଯୋଗ କରିଛନ୍ତି।
ମ୍ୟୁନିସିପାଲିଟି ଅଧୀନ ୧ନଂ. ୱାର୍ଡ଼ ପରମିଟ୍‌ ଘାଟ ଅଞ୍ଚଳର ମମତା ବେହେରା (୩୦) ଓ ୨ନଂ. ୱାର୍ଡ଼ର ମୁନିପଦାର କାଲା ମାଝି (୪୬) ମୃତ୍ୟୁବରଣ କରିଥିଲେ। ଉକ୍ତ ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ୱ ଲୋକ ଜଣ୍ଡିସ୍‌ରେ ଆକ୍ରାନ୍ତ ଥିବା ରକ୍ତ ନମୁନା ପରୀକ୍ଷାରୁ ଜଣାପଡ଼ିଛି। ଉକ୍ତ ଅଞ୍ଚଳରେ ଡାକ୍ତରୀ ଟିମ୍‌ ପଠାଇ ଚିକିତ୍ସା କରା ନ ଗଲେ ଭୟାବହ ପରିସ୍ଥିତି ସୃଷ୍ଟି ହେବ ବୋଲି ଆଶଙ୍କା ଦେଖାଦେଇଛି। ପାନୀୟ ଜଳ ଅଭାବରୁ ଏହି ରୋଗ ବ୍ୟାପୁଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ସଙ୍ଗଠନ ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ କୁମାର ପୃଷ୍ଟି, ବିନୋଦ ମାଝି, ଅଜୟ ବିଶ୍ୱାଳ, କିଶୋର ନାୟକ, ସରିତା ସାହୁ, ବବିତା ବେହେରା, ଋତୁପର୍ଣ୍ଣା ମହାନ୍ତି, ଈଶ୍ୱର ଜେନା ଓ ଦୀପକ ନାଥ ପ୍ରମୁଖ ଜିଲା ମୁଖ୍ୟଚିକିତ୍ସାଧିକାରୀଙ୍କୁ ସାକ୍ଷାତ୍‌ କରି ଅଭିଯୋଗ କରିଥିଲେ।
ଏନେଇ ଜିଲା ମୁଖ୍ୟଚିକିତ୍ସାଧିକାରୀ ଡା. ଜଗଦେବ କହିଛନ୍ତି, ଶୁକ୍ରବାର ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ଶନିବାରଠାରୁ ସେମାନଙ୍କ ଦ୍ୱାରା ପର୍ଯ୍ୟବେକ୍ଷଣ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ସ୍ବତନ୍ତ୍ର ଚିକିତ୍ସା ଉପଲବ୍ଧ କରାଯିବ।