Categories: ଜାତୀୟ

ବ୍ୟାଟ୍‌ର ଆକ୍ରମଣ ଉଦ୍ୟମ ପଣ୍ଡ

ନୂଆଦିଲ୍ଲୀ,୪ା୮: ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଉତ୍ତେଜନା ବଢ଼ୁଥିବାବେଳେ ପାକିସ୍ତାନୀ ସେନା ଦ୍ୱାରା ପରିଚାଳିତ ସୀମା କାର୍ଯ୍ୟାନୁଷ୍ଠାନ ଟିମ୍‌ (ବ୍ୟାଟ୍‌)ର ଆକ୍ରମଣ ଉଦ୍ୟମକୁ ଭାରତୀୟ ଯବାନମାନେ ପଣ୍ଡ କରିଦେଇଛନ୍ତି। ଜୁଲାଇ ୩୧ ରାତିରେ ଜମ୍ମୁ-କଶ୍ମୀରର କେରନ ସେକ୍ଟରରେ ବ୍ୟାଟ୍‌ ପକ୍ଷରୁ ଆକ୍ରମଣ ଉଦ୍ୟମ ହୋଇଥିଲା। ଏହି ଟିମ୍‌ରେ ପାକିସ୍ତାନର ସ୍ବତନ୍ତ୍ର ସର୍ଭିସ ଗ୍ରୁପ୍‌ (ଏସଏସ୍‌ଜି) ସହ ଆତଙ୍କବାଦୀ ରହିଛନ୍ତି। ତେବେ ଭାରତୀୟ ସେନାର ଠିକଣା ପଦକ୍ଷେପ ଯୋଗୁ ୫ରୁ ୭ ଜଣ ଆତଙ୍କବାଦୀ କିମ୍ବା ଏସ୍‌ଏସ୍‌ଜି ନିହତ ହେବା ସହ ସେମାନଙ୍କ ଆକ୍ରମଣ ଉଦ୍ୟମ ବିଫଳ ହୋଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତଦେହ ଭାରତୀୟ ପାର୍ଶ୍ୱରୁ ମିଳିଛି। ଉକ୍ତ ସେକ୍ଟରରେ ସୀମାପାର ଗୁଳିବିନିମୟ ଜାରୀ ରହିଥିବା ଜଣେ ବରିଷ୍ଠ ସେନା ଅଧିକାରୀ କହିଛନ୍ତି। ଚଳିତ ବର୍ଷ ଏଲ୍‌ଓସିରେ ୧୬୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହେଲାଣି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ସୈନ୍ୟବାହିନୀ ଉଦ୍ୟମ ଜାରି ରଖିଛି। ଏଲ୍‌ଓସି ନିକଟବର୍ତ୍ତୀ ଲଞ୍ଚ୍‌ପ୍ୟାଡ୍‌ରେ ୨୦୦ରୁ ୨୫୦ ଆତଙ୍କବାଦୀ ଅନୁପ୍ରବେଶ ଅପେକ୍ଷାରେ ରହିଥିବା ଗୋଇନ୍ଦା ସୂଚନାରୁ ଜଣାପଡିଛି।

Share