ବ୍ୟାଙ୍କ ସୁରକ୍ଷା ଯାଞ୍ଚ କଲା ପୋଲିସ

ବ୍ରହ୍ମପୁର ପୋଲିସ, ୩୧ା୭- ବ୍ୟାଙ୍କ ସୁରକ୍ଷା ବ୍ୟବସ୍ଥାରେ ଢିଲା ରହିଥିବା ଯୋଗୁ ବିଗତ ଦିନରେ ଅନେକ ଗ୍ରାହକ ଠକେଇର ଶିକାର ହୋଇଥିବା ନଜିର ରହିଛି। ଏପରିକି ଗ୍ରାହକମାନେ ବିଭିନ୍ନ ସମୟରେ ବ୍ୟାଙ୍କରେ ନାନା ପ୍ରକାର ଠକେଇର ଶିକାର ହେଉଛନ୍ତି। ଗତ କିଛିଦିନ ତଳେ ଟାଉନ ଥାନା ଅନ୍ତର୍ଗତ ମିଲିଟାରୀ ଲାଇନରେ ଥିବା କାନରା ବ୍ୟାଙ୍କରେ ଜଣେ ଗ୍ରାହକଙ୍କୁ କେତେକ ଯୁବକ ଟଙ୍କା ଗଣିବା ବାହାନାରେ ତାଙ୍କର ୨୨ ହଜାର ଟଙ୍କା ଠକି ନେଇଥିଲେ। ବ୍ରହ୍ମପୁର ପୋଲିସ ଜିଲାର ବିଭିନ୍ନ ଥାନା ଇଲାକାରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବ୍ୟାଙ୍କଗୁଡିକରେ ମଙ୍ଗଳବାର ପୋଲିସ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛି। ମଙ୍ଗଳବାର ପୋଲିସର ବିଭିନ୍ନ ଟିମ ବିଭିନ୍ନ ବ୍ୟାଙ୍କକୁ ଯାଇ ସେଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ଗ୍ରାହକମାନଙ୍କୁ ଠକମାନେ ବ୍ୟାଙ୍କରେ କିପରି ଠକେଇ କରୁଛନ୍ତି ସେ ସମ୍ପର୍କରେ ଗ୍ରାହକମାନଙ୍କୁ ପୋଲିସ ସଚେତନ କରିଥିଲା। ବ୍ୟାଙ୍କରେ ଅଜଣା ବ୍ୟକ୍ତିଙ୍କୁ ଟଙ୍କା ଗଣିବା ପାଇଁ କିମ୍ବା ଜମା କରିବା ପାଇଁ ନ ଦେବାକୁ ପୋଲିସ ଗ୍ରାହକଙ୍କୁ ସଚେତନ କରିଛି। ସେହିପରି ଏଟିଏମରୁ ଟଙ୍କା ଉଠାଣ ବା ଜମା କରିବା ବେଳେ ଅଜଣା ଲୋକଙ୍କୁ ଏଟିଏମ କାର୍ଡ କିମ୍ବା ଗୁପ୍ତ ନମ୍ବର ନ ଦେବାକୁ ଗ୍ରାହକଙ୍କୁ ପୋଲିସ ପରାମର୍ଶ ଦେଇଥିଲା। ଯାଞ୍ଚ ବେଳେ ବିନା କୌଣସି କାମରେ ବ୍ୟାଙ୍କ ଭିତରେ ଥିବା ଲୋକମାନଙ୍କୁ ନ ରହିବାକୁ କୁହାଯାଇଥିଲା ା ଏସ୍‌ବିଆଇ, କାନରା ବ୍ୟାଙ୍କ, ଆନ୍ଧ୍ର ବ୍ୟାଙ୍କ, ବ୍ୟାଙ୍କ ଅଫ ବରୋଦା, ଇଣ୍ଡିଆନ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଭଳି ଅନେକ ସରକାରୀ ଓ ବେସରକାରୀ ବ୍ୟାଙ୍କରେ ପୋଲିସ ମଙ୍ଗଳବାର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲା। କୌଣସି ଦୁର୍ଘଟଣା ଘଟିଲେ ବ୍ୟାଙ୍କରେ ଆଲରାମ ବାଜୁଛି କି ନାହିଁ, ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି କି ନାହିଁ, ଯଦି ସୁରକ୍ଷାକର୍ମୀ ଅଛି ତେବେ ସେମାନେ ବ୍ୟାଙ୍କର ସୁରକ୍ଷା ସାଙ୍ଗକୁ ଗ୍ରାହକଙ୍କ ସୁରକ୍ଷା ସମ୍ପର୍କରେ ତାଲିମପ୍ରାପ୍ତ କି ନାହିଁ ସେନେଇ ପୋଲିସ ଯାଞ୍ଚ କରିଥିଲା। ଏପରିକି ବ୍ୟାଙ୍କ ଭିତରେ ଓ ବାହାରେ ଖଞ୍ଜାଯାଇଥିବା ସିସି କେମେରା ଗୁଡିକ ଠିକ କାମ କରୁଛି କି ନାହିଁ ତାହାର ମଧ୍ୟ ପୋଲିସ ଯାଞ୍ଚ କରିଥିଲା। ବିଶେଷକରି ଗ୍ରାହକଙ୍କୁ ସଚେତନ କରାଇବା ସହ ଉଭୟ ବ୍ୟାଙ୍କ ଓ ଗ୍ରାହକଙ୍କ ସୁରକ୍ଷା ପାଇଁ ଏଭଳି ଯାଞ୍ଚ କରାଯାଉଛି ବୋଲି ଅତିରିକ୍ତ ଏସପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି।