ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଡକାୟତି ଉଦ୍ୟମ : ପୋଲିସ,ସାଇଣ୍ଟିଫିକ୍‌ ଟିମର ତନାଘନା ତଦନ୍ତ

ଆସିକା,୨୪ା୮(ଡି.ଏନ୍‌.ଏ.)- ଆସିକା – ଭଞ୍ଜନଗର ମୁଖ୍ୟରାସ୍ତାର ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରୀୟବରପୁରଠାରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ଶୁକ୍ରବାର ବିଳମ୍ବିତ ରାତିରେ ଡକାୟତି ଉଦ୍ୟମ ହୋଇଛି। ରାତି ପ୍ରାୟ ସାଢେ ୧ଟାବେଳେ ଦୁର୍ବୃତ୍ତ ବ୍ୟାଙ୍କ ନିକଟରେ ଥିବା ଘରମାନଙ୍କରେ ବାହାରୁ ତାଲା ପକାଇ ବ୍ୟାଙ୍କ ପାଚେରୀ ଡେଇଁ ପଶିଥିଲେ। ବ୍ୟାଙ୍କ ମୁଖ୍ୟ ଫାଟକ ଗ୍ରୀଲ୍‌ ତାଲା କାଟିବା ସହ ବ୍ୟାଙ୍କ ଭିତରର ଅନ୍ୟ ଦୁଇଟି କୋଠରୀ ତାଲା କାଟି ବ୍ୟାଙ୍କରେ ପଶିଥିଲେ। ଦୁର୍ବୃତ୍ତ ବ୍ୟାଙ୍କର ସିସିଟିଭି, ସାଇରନ୍‌ ଓ କମ୍ପ୍ୟୁଟର ତାର କାଟି ସଂଯୋଗ ବିଛିନ୍ନ କରିବା ସହ ଟଙ୍କା ସୁନାଥିବା ଆଇରନ୍‌ ଚେଷ୍ଟ ଭାଙ୍ଗିବାକୁ ଉଦ୍ୟମ କରିଥିଲେ। ତେବେ ଏଥିରେ ବ୍ୟର୍ଥ ହେବାପରେ କାଗଜ ପତ୍ର ସବୁ ଫିଙ୍ଗି ଫେରାର୍‌ ହୋଇଯାଇଥିବା ଜଣାପଡିଛି। ଖବର ପାଇ ଗାଙ୍ଗପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଭଞ୍ଜନଗର ଏସ୍‌ଡିପିଓ ଶୁଭ୍ରାଶୁଂ ଶେଖର ମିଶ୍ର ବ୍ୟାଙ୍କ ଶାଖାରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜ୍‌ ଆଧାରରେ ୨ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ୟାଙ୍କ ଭିତରେ ପଶିଥିବା ସ୍ପଷ୍ଟ ହୋଇଥିବାବେଳେ ସେମାନଙ୍କ ସହଯୋଗୀ ବାହାରେ ରହିଥିବା ପୋଲିସ ଅନୁମାନ କରିଛି। ଛତ୍ରପୁର ପୋଲିସ ମୁଖ୍ୟାଳୟରୁ ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚତ୍ ତଦନ୍ତ କରିଥିବାବେଳେ ବ୍ୟାଙ୍କ ମ୍ୟାନେଜର୍‌ ମଧ୍ୟ ସ୍ଥିତି ଅନୁଧ୍ୟାନ କରିଛନ୍ତି। ତେବେ ବ୍ୟାଙ୍କର ଜମାଥିବା ଗ୍ରାହାକଙ୍କ ଟଙ୍କା ଓ ସୁନା ସୁରକ୍ଷିତ ଥିବା କୁହାଯାଇଛି।
ସୂଚନା ଯୋଗ୍ୟ ଯେ, ଜାନୁୟାରୀ ୧୦ରେ ଏହି ଥାନା ପାଇଲିପଡା ଗ୍ରାମରେ ଥିବା ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ମଧ୍ୟ ଡକାୟତି ଉଦ୍ୟମ ହୋଇଥିଲା। ଦୁର୍ବୃତ୍ତ ଶାଖାର ଭେଣ୍ଟିଲେଟର ଦେଇ ବ୍ୟାଙ୍କ ଭିତରେ ପଶି ଲୁଟ୍‌ ଉଦ୍ୟମ କରି ବ୍ୟର୍ଥ ହେବାପରେ ଶାଖାରେ ନିଅଁା ଲଗାଇ ଫେରାର୍‌ ହୋଇଯାଇଥିଲେ। ସିସିଟିଭି ଫୁଟେଜକୁ ଆଧାର କରି ପୋଲିସ ଦୁର୍ବୃତ୍ତଙ୍କୁ ଠାବ କରିଥିଲେ।