ବ୍ୟବହାର ନ କରି ଫିଙ୍ଗାଯାଉଛି ବିପୁଳ ଔଷଧ

ଏରସମା,୨୨ା୭(ସ୍ବ.ପ୍ର.): ଏରସମା ବ୍ଲକ ସଦରମହକୁମାସ୍ଥିତ ପ୍ରାଣୀ ଚିକିତ୍ସାଳୟ ପାଚେରି ବାହାରେ ପଡିଛି ବିପୁଳ ପରିମାଣର ଏକ୍ସପାଏରୀ ଔଷଧ। ପ୍ରାଣୀଙ୍କ ଚିକିତ୍ସା ନିମନ୍ତେ ଆବଶ୍ୟକ ବେଳେ ଔଷଧ ଦିଆଯା ନ ଯାଇ ଏସବୁ ନଷ୍ଟ ହୋଇଯିବା ପରେ ବାହାରେ ଫିଙ୍ଗିଦିଆଯାଉଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଏରସମା ପ୍ରାଣୀ ଚିକିତ୍ସାଳୟ ଅଧୀନରେ ୯ଟି ପ୍ରାଣୀ ସହାୟକ କେନ୍ଦ୍ର ରହିଛି। ସେଥିମଧ୍ୟରୁ କୁଞ୍ଜକୋଠି, ବାଲିତୁଠ, ଗୋବିନ୍ଦପୁର, ପଞ୍ଚପଲୀ, ହାଜିପୁର, ମଲ୍ଲିପୁର, କିଆଡିଙ୍ଗ୍ରୀ ପ୍ରାଣୀ ସହାୟକ କେନ୍ଦ୍ରରେ ଲାଇଫ ଷ୍ଟକ ଇନ୍ସପେକ୍ଟର (ଏଲଆଇ)ଙ୍କୁ ନିଯୁକ୍ତି ଦିଆଯାଇଛି। ବ୍ଲକ ସଦରମହକୁମାରେ ୨ ଜଣ ଏଭିଏଏସ ଡା. ସୁନିତା ବେହେରା ଓ ଡା. ଲୋପାମୁଦ୍ରା ରାୟ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକ କେନ୍ଦ୍ର ତଦାରଖ ପାଇଁ ବ୍ଲକ ଭେଟେରେନାରୀ ଅଫିସର (ବିଭିଓ) ଭାବେ ଡା.ପରମାନନ୍ଦ ସେଠୀ କାର୍ଯ୍ୟ କରୁଛନ୍ତି। ଚଟୁଆ ଓ ଗୋଡ଼ା ସହାୟକ କେନ୍ଦ୍ରରେ ଏଲଆଇ ପଦବୀ ଖାଲିପଡିଛି। ସେହି ୨ଟି କେନ୍ଦ୍ର ଯଥାକ୍ରମେ କୁଞ୍ଜକୋଠି ଓ ପଞ୍ଚପଲୀ ଅଧୀନରେ କାର୍ଯ୍ୟ କରୁଛି। ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟେକ ପ୍ରାଣୀ ଚିକିତ୍ସା କେନ୍ଦ୍ରର ଏଭିଏଏସ ଓ ପ୍ରାଣୀ ସହାୟକ କେନ୍ଦ୍ରର ଏଲଆଇମାନଙ୍କ ଦ୍ୱାରା କମ୍‌ ଖର୍ଚ୍ଚରେ ଔଷଧ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ଔଷଧଗୁଡିକର ନାମ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ତାଲିକା ଝୁଲାଇବାର ମଧ୍ୟ ନିୟମ ରହିଛି। କିନ୍ତୁ ପରିତାପର ବିଷୟ ଏସବୁ ନିୟମ କାର୍ଯ୍ୟକାରୀ କରାଯାଉନି। ଏରସମା ପ୍ରାଣୀ ଚିକିତ୍ସା କେନ୍ଦ୍ର ପାଚେରି ନିକଟରେ ବହୁ ଏକ୍ସପାରୀ ଔଷଧ ପଡିଥିବା ଦେଖାଯାଇଛି। ଏ ସମ୍ପର୍କରେ ବିଭିଓ ସେଠୀଙ୍କୁ ପଚାରିବାରେ ସେ କହିଲେ ଯେ, ଜିଲା ଅଧିକାରୀମାନେ ପରିଦର୍ଶନରେ ଆସିଥିଲେ। ସେମାନେ ଏକ ଘର ସଫା କରି ବାରଣ୍ଡାରେ ବସୁଥିବା ୨ ଜଣ ଏଭିଏଏସଙ୍କୁ ସେଠାରେ ବସିବାକୁ ନିର୍ଦ୍ଦେଶ ଦେଇଥିଲେ। ତେଣୁ ପିଅନ ଘର ସଫା କରି କିଛି ଏକ୍ସପାଏରୀ ଔଷଧ ସେଠାରେ ପକାଇଦେଇଛି। ମୁଁ ତାହା ସଫା କରିଦେବି ବୋଲି ସେ କହିଛନ୍ତି।