ବ୍ୟକ୍ତିତ୍ୱ ବଢ଼ାଏ ଖାଇବା ଶୈଳୀ

ଖାଇବା ଶୈଳୀ ଯୋଗୁ ବ୍ୟକ୍ତିତ୍ୱ ବଢ଼ିଥାଏ-ଏପରି ରୋଚକ କଥାକୁ ଅନେକ ହୁଏତ ବିଶ୍ୱାସ କରି ନ ପାରନ୍ତି। ହେଲେ ଏହା ଉପରେ ଦୃଢ଼ୋକ୍ତି ବକ୍ତ କରିଛନ୍ତି ଓ୍ବାଶିଂଟନ୍‌ ୟୁନିଭର୍ସିଟିର ପୁଷ୍ଟିବିଜ୍ଞାନୀମାନେ। ‘ବ୍ୟକ୍ତିତ୍ୱ ଓ ଖାଇବା ଶୈଳୀ’ ବିଷୟ ଉପରେ ସେମାନେ ନିକଟରେ ଏକ ସର୍ଭେ କରି ଏଭଳି କଥା ଜାଣିପାରିଛନ୍ତି। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କର ଖାଇବା ଶୈଳୀ ଉପରେ ନଜର ରଖାଯିବା ସହ ଏହାଦ୍ୱାରା ସେମାନଙ୍କ ବ୍ୟକ୍ତିତ୍ୱ କିପରି ପ୍ରଭାବିତ ହେଉଛି ତାହା ଲକ୍ଷ୍ୟ କରାଯାଇଥିଲା। ବିଶେଷଭାବରେ ଶୃଙ୍ଖଳିତ ଖାଇବା ଶୈଳୀକୁ ଅନୁସରଣ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ବ୍ୟକ୍ତିତ୍ୱ ଅନ୍ୟମାନଙ୍କ ତୁଳନାରେ ପ୍ରଶଂସିତ ହେଉଥିବାର ସେମାନେ ଜାଣିବାକୁ ପାଇଥିଲେ।