ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ସ୍ତ୍ରୀ

କୁଜଙ୍ଗ,୧୮ା୩(ଡି.ଏନ.ଏ.): କୁଜଙ୍ଗ ଥାନା ଅଧୀନ ଗୋପିଆକୁଦ ପଞ୍ଚାୟତ ବେଦାପାଟ ଗ୍ରାମର ପବିତ୍ର ଓଝା(୪୫)ଙ୍କ ସୋମବାର ରାତିରେ ସନ୍ଦେହଜନକ ମୃତ୍ୟୁଘଟିଛି। ମାତ୍ର ପବିତ୍ରଙ୍କୁ ଖାଦ୍ୟରେ ବିଷଦେଇ ତାଙ୍କ ବଡ଼ ଭାଉଜ ଶରଳା, ଭାଇ ନିରଞ୍ଜନ ଓ ମା’ ମାଳତୀ ହତ୍ୟା କରିଥିବା ପବିତ୍ରଙ୍କ ସ୍ତ୍ରୀ ସବିତା ଅଭିଯୋଗ କରିଛନ୍ତି। ତେଣୁ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଓ କ୍ଷତିପୂରଣ ଦାବିରେ ମଙ୍ଗଳବାର ରାସ୍ତାରୋକୋ କରାଯାଇଥିଲା। ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା।
ଅଭିଯୋଗ ଅନୁସାରେ, ପବିତ୍ରଙ୍କୁ ତାଙ୍କ ବଡ଼ଭାଇ, ଭାଉଜ ଓ ମା’ ଜମି ଭାଗବଣ୍ଟା ସମ୍ପର୍କରେ କଥା ହେବାକୁ ଡାକିଥିଲେ। ପବିତ୍ର ଭାଇଙ୍କ ଘରକୁ ଯାଇ ଆଲୋଚନା କରି ରାତି ୧୦ଟାରେ ଫେରିଥିଲେ। ଭାଇଙ୍କ ଘରେ ଖାଇକରି ଆସିଛି ଆଉ ଖାଇବି ନାହିଁ କହି ଶୋଇ ଯାଇଥିଲେ। ଶୋଇବାର ଅଧଘଣ୍ଟା ପରେ ପବିତ୍ରଙ୍କ ବାନ୍ତି ହେବାରୁ ତାଙ୍କୁ କୁଜଙ୍ଗ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର ପବିତ୍ରଙ୍କୁ ପଟାସ ପାଣି ପିଆଇବା ସମୟରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଡାକ୍ତରଖାନା ସୂତ୍ରରୁ ଖବର ପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା। ଥାନା ପକ୍ଷରୁ ୨/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି। ପବିତ୍ରଙ୍କ ପରିବାର ମଙ୍ଗଳବାର କ୍ଷତିପୂରଣ ଓ ହତ୍ୟାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିକରି ଶାଗରରୋଡ ଷଣ୍ଢଛକଠାରେ ମୃତଦେହ ରଖି ପ୍ରାୟ ତିନି ଘଣ୍ଟା ରାସ୍ତାରୋକୋ କରିଥିଲେ। ଅପରାହ୍ନ୨ଟାରେ ତହସିଲଦାର ପ୍ରଭାଶ ବେଉରା, କୁଜଙ୍ଗ ଥାନା ଅଧିକାରୀ ଦିଲୀପ ସାହୁ, ସରପଞ୍ଚ ନନ୍ଦିନୀ ପଣ୍ଡା, ଜିଲା ପରିଷଦ ସଭ୍ୟା ଶୁଶ୍ରୀପ୍ରିୟଦର୍ଶିନୀ ପ୍ରମୁଖ ପହଞ୍ଚତ୍ ବୁଝାଶୁଝା କରିବା ସହ ପରିବାର ବର୍ଗଙ୍କୁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ପ୍ରଦାନ କରିଥିଲେ। ରେଡ୍‌କ୍ରସ୍‌ ପାଣ୍ଠି ଓ ମୁଖ୍ୟ ମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ସହାୟତା ଯୋଗାଇ ଦେବାପାଇଁ ତହସିଲଦାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ତେବେ ଏହା ହତ୍ୟା କି ଆତ୍ମହତ୍ୟା ତଦନ୍ତ ପରେ ଜଣା ପଡିବ ବୋଲି ଥାନା ଅଧିକାରୀ ସାହୁ ପ୍ରକାଶ କରିଛନ୍ତି।