Categories: ଖେଳ

ବ୍ୟକ୍ତିଗତ ଟିପ୍ପଣୀ ଦେଇ ଷ୍ଟୋଇନିସ୍‌ ଦଣ୍ଡିତ

ସିଡନୀ,୫।୧(ଏଏଫ୍‌ପି): ଅଷ୍ଟ୍ରେଲିଆ ତାରକା ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ୍‌ ସାଥି ଖେଳାଳିଙ୍କୁ ବ୍ୟକ୍ତିଗତ ଟିପ୍ପଣୀ ଦେଇ ଜରିମାନାର ସମ୍ମୁଖୀନ ହୋଇଛନ୍ତି। ବିଗ୍‌ ବାସ୍‌ ଟି୨୦ ଲିଗ୍‌ରେ ଶନିବାର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଏକ ମ୍ୟାଚ୍‌ ଖେଳିବା ଅବସରରେ ସେ ଅନ୍ୟତମ ଅଷ୍ଟ୍ରେଲିଆ ଖେଳାଳି କେନ୍‌ ରିଚାର୍ଡସନଙ୍କୁ ଆକ୍ଷେପ କରି ବ୍ୟକ୍ତିଗତ ଟିପ୍ପଣୀ ଦେଇଥିବାରୁ କ୍ରିକେଟ ଅଷ୍ଟ୍ରେଲିଆର ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ଫଳରେ ତାଙ୍କ ଉପରେ ୫,୨୦୦ ଆମେରିକୀୟ ଡଲାର ଜରିମାନା ଧାର୍ଯ୍ୟ କରାଯାଇଛି। ମେଲବୋର୍ନ ଷ୍ଟାର୍ସ ତରଫରୁ ଖେଳୁଥିବା ଷ୍ଟୋଇନିସ୍‌ ନିଜ ଭୁଲ ସ୍ବୀକାର କରିଛନ୍ତି ଓ ଏଥିପାଇଁ କ୍ଷମା ମଧ୍ୟ ମାଗିଛନ୍ତି। ଆକ୍ଷେପ କରିବା ପରେ ଭୁଲ କରିଛି ବୋଲି ଜାଣିପାରିଥିଲି ଓ ସଙ୍ଗେସଙ୍ଗେ ରିଚାର୍ଡସନ ଓ ଫିଲ୍ଡ ଅମ୍ପାରଙ୍କୁ କ୍ଷମା ମାଗିଥିଲି ବୋଲି ଷ୍ଟୋଇନିସ କହିଛନ୍ତି। ଉଲ୍ଲେଖଥାଉ କି, ଚଳିତ ବର୍ଷ ବିଗ୍‌ ବାସ ଲିଗ୍‌ରେ ଷ୍ଟୋଇନିସ ସର୍ବାଧିକ ୨୮୧ ରନ ସଂଗ୍ରହ କରିଛନ୍ତି। କିନ୍ତୁ ସେ ଭାରତ ଗସ୍ତ ପାଇଁ ଘୋଷିତ ଦିନିକିଆ ଦଳରୁ ବାଦ୍‌ ପଡିଛନ୍ତି। ତେବେ ରିଚାର୍ଡସନ ଏହି ଦଳରେ ସ୍ଥାନ ପାଇଛନ୍ତି।
ପୂର୍ବରୁ ୬ ସପ୍ତାହ ତଳେ ଦ୍ରୁତ ବୋଲର ଜେମ୍ସ ପାଟିନସନ ଏକ ସେଫିଲ୍ଡ ସିଲ୍ଡ ମ୍ୟାଚ୍‌ ଖେଳିବା ଅବସରରେ ପ୍ରତିପକ୍ଷ ଖେଳାଳିଙ୍କୁ ଗାଳି ଦେଇ ଗୋଟିଏ ଟେଷ୍ଟରୁ ବାସନ୍ଦ ହୋଇଥିଲେ। ଫଳରେ ନଭେମ୍ବରରେ ସେ ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ ଖେଳିପାରି ନ ଥିଲେ। ୧୨ ମାସ ମଧ୍ୟରେ ସେ ତୃତୀୟ ଥର ପାଇଁ ଏପରି ଭୁଲ କରିଥିଲେ। କ୍ରିକେଟରେ ଏଭଳି ଆଚରଣ ଗ୍ରହଣୀୟ ନୁହଁ ଓ ଏ ନେଇ ଆମେ ଉଚିତ୍‌ ପଦକ୍ଷେପ ନେଇଛୁ ବୋଲି କ୍ରିକେଟ ଅଷ୍ଟ୍ରେଲିଆ ହେଡ୍‌ ଅଫ୍‌ ଇଣ୍ଟିଗ୍ରିଟି ଓ ସିକ୍ୟୁରିଟି ମୁଖ୍ୟ ସିନ କାରୋଲ କହିଛନ୍ତି।

Share