ବ୍ଲାକରୋଜ ବୁଡ଼ିକୁ ୧୦ବର୍ଷ : ଶୀତଳଭଣ୍ଡାରରେ ସିବିଆଇ ତଦନ୍ତ

ପାରାଦୀପ,୯।୯(ସ୍ବ.ପ୍ର.): ପାରାଦୀପ ବନ୍ଦର ଇତିହାସରେ କଳଙ୍କର ଛାପ ଛାଡ଼ିଥିବା ଏମ୍‌ଭି ବ୍ଲାକରୋଜ ବୁଡ଼ି ଘଟଣାକୁ ସୋମବାର ୧୦ବର୍ଷ ପୂରିଛି। ଏହି ୧୦ବର୍ଷ ମଧ୍ୟରେ ମଙ୍ଗୋଲିଆର ସେହି ଜାହାଜକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲେ ହେଁ ବୁଡ଼ିବାର କାରଣ ଏ ପର୍ଯ୍ୟନ୍ତ ରହସ୍ୟାବୃତ୍ତ ହୋଇରହିଛି। ଏହାକୁ ନେଇ ଓଡ଼ିଶା ଓ କଲିକତା ହାଇକୋର୍ଟରେ ମାମଲା ରୁଜୁ ହେବା ସହ ୩ଟି ତଦନ୍ତକାରୀ ସଂସ୍ଥା ଓ ଜାହାଜ ଚଳାଚଳ ମନ୍ତ୍ରଣାଳୟର ସ୍ବତନ୍ତ୍ର କମିଟି ଦ୍ୱାରା ତଦନ୍ତ ହୋଇଛି। ସେହିପରି ରାଜ୍ୟ ଓ କେନ୍ଦ୍ରରେ ରାଜନୈତିକ ହଟଚମଟ ମଧ୍ୟ ସୃଷ୍ଟି ହୋଇଛି। କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ତଦନ୍ତକାରୀ ସଂସ୍ଥା ଜାହାଜର ମାଲିକ ମଙ୍ଗୋଲିଆର ସି.କକ୍‌ଙ୍କ ପାଖରେ ପହଞ୍ଚତ୍ପାରିନାହିଁ। ଅନ୍ୟପକ୍ଷରେ ଏହି ଜାହାଜ ଆଣିଥିବା ସେତେବେଳର ସି ଟ୍ରାନ୍ସ କମ୍ପାନୀ ଓ ରପ୍ତାନୀ କରିଥିବା ୩ ଖଣି ମାଲିକ ରେକ୍ଟର ମାଇନ୍ସ, ଓରିକାଷ୍ଟ, ପାଓରୋକ୍ସନାଇଟ ବିରୋଧରେ ସେପରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନି। ଅନ୍ୟପକ୍ଷରେ ସେହି କମ୍ପାନୀମାନେ ପୂର୍ବନାମ ବଦଳାଇ ଏବେ ମଧ୍ୟ ବ୍ୟବସାୟ ଚଳାଇଛନ୍ତି। ଗତବର୍ଷ ଟ୍ରଷ୍ଟବୋର୍ଡ ବୈଠକରେ କେତେକ ଟ୍ରଷ୍ଟିଙ୍କ ସୁପାରିଶ କ୍ରମେ ବ୍ଲାକରୋଜ ବୁଡି ଘଟଣାର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା। କିନ୍ତୁ ସିବିଆଇ ତଦନ୍ତ ଶୀତଳଭଣ୍ଡାରରେ ରହିଯାଇଛି। ସମୁଦ୍ରର ଯେଉଁ ଆଙ୍କରେଜ ଏରିଆରେ ଜାହାଜ ବୁଡ଼ିଥିଲା, ସେଠାରେ ଯାହାଜର କିଛି ଅଂଶ ଉପରକୁ ଦେଖାଯାଉଥିଲା। କିନ୍ତୁ ଗତ ୨ବର୍ଷ ହେଲା ତାହା ଆଉ ଦୃଶ୍ୟମାନ ହେଉନାହିଁ। ଗତ ୧୦ବର୍ଷ ଭିତରେ ସେହି ସ୍ଥାନରେ ଯଦିଓ ସେଭଳି କୌଣସି ଦୁର୍ଘଟଣା ଘଟିନାହିଁ, ତଥାପି ଭୟ ରହିଛି। ସେହି ସ୍ଥାନରେ କୌଣସି ନୌଦୁର୍ଘଟଣା ଘଟିବନାହିଁ ବୋଲି କହିହେବ ନାହିଁ। ସୂଚନାଯୋଗ୍ୟ, ୨୦୦୯ ସେପ୍ଟେମ୍ବର ୯ ତାରିଖ (୦୯-୦୯-୦୯)ରେ ମଙ୍ଗୋଲିଆର ବ୍ଲାକରୋଜ ଜାହାଜ ପାରାଦୀପ ବନ୍ଦର ଭିତରେ ୪୨,୯୭୫ ମେଟ୍ରିକ ଟନ୍‌ ଲୁହାପଥର ବୋଝେଇ କରିଥିଲା। ଏହି ଲୁହାପଥର ଓଦା ଥିଲା। ତେଣୁ ଏହା ବିପଦ ସୃଷ୍ଟି କରିବାର ଆଶଙ୍କା ଥିବାରୁ ଅଧାରୁ ବୋଝେଇ ବନ୍ଦ କରାଯାଇ ସେହି ଜାହାଜକୁ ସମୁଦ୍ରର ଆଙ୍କରେଜ ଏରିଆରେ ଅପେକ୍ଷା କରିବାକୁ ବନ୍ଦର ପକ୍ଷରୁ ମୌଖିକ ଭାବେ କୁହାଯାଇଥିଲା। ଜାହାଜଟି ଆଙ୍କରେଜ ଏରିଆରେ ଥିବାବେଳେ ଓଦା କାର୍ଗୋ ଅଣେଇ ହୋଇପଡିବାରୁ ତାହା ବୁଡ଼ିଯାଇଥିଲା। ସେତେବେଳେ ଜାହାଜରେ ଥିବା ୨୭ଜଣ ନାବିକଙ୍କ ମଧ୍ୟରୁ ବନ୍ଦର ମେରାଇନ ବିଭାଗ ୨୬ ଜଣଙ୍କୁ ଉଦ୍ଧାର କରିଥିଲା। ଜାହାଜର ମୁଖ୍ୟଯନ୍ତ୍ରୀ ଆଲେକ ଜାଣ୍ଡାର ୟୁଲୋଶ୍ୱେଙ୍କୋଙ୍କ ମୃତ୍ୟୁ ଘଟିଥିଲା। ଜାହାଜ ବୁଡିର ୮ଦିନ ପରେ ତାଙ୍କ ମୃତଦେହ ମିଳିଥିଲା। ପରେ ଜାହାଜରୁ ତେଲ ନିର୍ଗତ ହୋଇ ସମୁଦ୍ରରେ ଭାସିବାରୁ ବ୍ୟାପକ ପ୍ରଦୂଷଣ ସୃଷ୍ଟି ହୋଇଥିଲା। ପ୍ରଥମେ ମେରାଇନ ଥାନା ଓ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରିଥିଲା। ଏବେ ତଦନ୍ତ ଦାୟିତ୍ୱ ସିବିଆଇ ହାତରେ ରହିଛି।