ବ୍ଲଡବ୍ୟାଙ୍କରେ ନାହିଁ ରକ୍ତ, ପୋଲିସ ଆୟୋଜନ କଲା ରକ୍ତଦାନ ଶିବିର

ସୋନପୁର,୫।୪(ନି.ପ୍ର)-କରୋନା ମହାମାରୀ ଏବେ ସମଗ୍ର ବିଶ୍ୱକୁ ଆତଙ୍କିତ କରି ରଖିଛି । ଦେଶରେ ଗତ ୨୪ ତାରିଖ ମଧ୍ୟରାତ୍ରରୁ ଲକଡାଉନ ଘୋଷଣା ହୋଇଛି । ଜରୁରି କାମ ନଥିଲେ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଏଭଳି ସ୍ଥିତିରେ ସୁବର୍ଣ୍ଣପୁର ଜିଲାରେ ରକ୍ତଦାନ ଶିବିର ଆୟୋଜନ ହୋଇପାରୁନି । ସ୍ବେଚ୍ଛାକୃତ ରକ୍ତଦାତାମାନେ ବ୍ଲଡ଼ବ୍ୟାଙ୍କକୁ ଅସିପାରୁ ନାହାଁନ୍ତି । ବ୍ଲଡ଼ବ୍ୟାଙ୍କରେ ମାତ୍ର ୩୦ୟୁନିଟ ରକ୍ତ ରହିଛି । ଏସବୁକୁ ଦୃଷ୍ଟିରେ ରଖି ଜିଲା ପୋଲିସ ପକ୍ଷରୁ ଟାଉନ ଥାନା ପରିସରରେ ରବିବାର ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା । ଏଥିରେ ସାମାଜିକ ଦୁରତ୍ୱ ବଜାୟ ରଖିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିଲା । ଭିଡକୁ ଏଡାଇବା ପାଇଁ ରବିବାର କେବଳ ୨୪ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ସୋମବାର ପୁଣି ଶିବିର ଆୟୋଜିତ ହେବ । ଆରକ୍ଷୀ ଅଧିକ୍ଷକ ଦେବୀପ୍ରସାଦ ଦାଶ ଶିବିରକୁ ଉଦଘାଟନ କରିଥିଲେ । ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରମେଶ ଚନ୍ଦ୍ର ପାଣିଗ୍ରାହୀ, ସୋନପୁର ଏସଡ଼ିପିଓ ମିହିର କୁମାର ପଣ୍ଡା, ଆଇଆଇସି ଲୋକେଶ୍ୱର ସାହୁ, ଏସଆଇ ସୁବ୍ରତ ପାଣିଗ୍ରାହୀ, ଅବିନାଶ ପ୍ରଧାନ, ପ୍ରାକ୍ତନ ନଗରପାଳ ପ୍ରକାଶ ଚନ୍ଦ୍ର ସାହୁ, ଅରବିନ୍ଦ ବାରିକ, ସ୍ବେଚ୍ଛାସେବୀ ମନୋଜ ପଣ୍ଡା, ତାପସ ବେଉରିଆ, ଜିଲା ହାବିଲଦାର-କନେଷ୍ଟବଳ ସଂଘ ସଭାପତି କୁମୁଦ ରଞ୍ଜନ ମେହେର ଓ ସମ୍ପାଦକ ଦିନେଶ ମିଶ୍ର ସହଯୋଗ କରିଥିଲେ । କରୋନା ସମୟରେ ଯୁବତୀ ଯୁବକମାନେ ରକ୍ତଦାନ କରିବାକୁ ଆଗ୍ରହ ପ୍ରକାଶ କରିବା ଘଟଣାକୁ ସାଧାରଣରେ ପ୍ରଶଂସା କରାଯାଇଛି ।