ବ୍ଲକ ସମ୍ମୁଖରେ ଜାମବଣୀ ପଞ୍ଚାୟତବାସୀଙ୍କ ଧାରଣା

କପ୍ତିପଦା,୨୮ା୧୦(ଡ଼ି.ଏନ.ଏ)- କପ୍ତିପଦା ବ୍ଲକର ଜାମବଣୀ ପଞ୍ଚାୟତରେ ଅଚଳାବସ୍ଥା ଲାଗି ରହିଥିବା ଅଭିଯୋଗ କରି ବହୁ ପୁରୁଷ ମହିଳା ସୋମବାରଠାରୁ କପ୍ତିପଦା ବ୍ଲକ୍‌ ସମ୍ମୁଖରେ ଧାରଣାରେ ବସିଛନ୍ତି। ଅଭିଯୋଗ ଅନୁଯାୟୀ, ଅସୁସ୍ଥତା କାରଣରୁ ଜାମବଣୀ ସରପଞ୍ଚ ପଞ୍ଚାୟତ କାର୍ଯ୍ୟାଳୟରେ ନିଜର କାର୍ଯ୍ୟ କରିପାରୁ ନାହାନ୍ତି। ଫଳରେ ପଞ୍ଚାୟତର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟରେ ବାଧା ଉପୁଜୁଛି। ଏ ସମ୍ପର୍କରେ ଉକ୍ତ ପଞ୍ଚାୟତର ନାଏବ ସରପଞ୍ଚଙ୍କ ସମେତ ଅନ୍ୟ ୫ଜଣ ଓ୍ବାର୍ଡ ସଭ୍ୟାସଭ୍ୟ କପ୍ତିପଦା ବିଡିଓ, ମୟୂରଭଞ୍ଜ ଜିଲାପାଳ ଓ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଅବଗତ କରାଇଥିଲେ। ସରପଞ୍ଚଙ୍କ ଅସୁସ୍ଥତା ସମୟରେ ପଞ୍ଚାୟତର କାର୍ଯ୍ୟଭାର ନାଏବ ସରପଞ୍ଚଙ୍କୁ ପ୍ରଦାନ କରି ପଞ୍ଚାୟତ କାର୍ଯ୍ୟ ସୁରଖୁରରେ ଚଳାଇବା ପାଇଁ ଲିଖିତ ଅବଗତ କରିଥିଲେ। ମାତ୍ର ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇ ନ ଥିଲା। ଏଥିନେଇ ନାଏବ ସରପଞ୍ଚ ସନ୍ଧ୍ୟାରାଣୀ ନାୟକ, ୱାର୍ଡ଼ସଭ୍ୟ ଜଗନ୍ନାଥ ବିନ୍ଧାଣୀ, ଭାରତୀ ସେଠୀ, କମଳା ବେହେରା, ରାଇମଣି ସୋରେନ୍‌, ସୁଗୀମଣି ମାଝୀଙ୍କ ନେତୃତ୍ୱରେ ଶତାଧିକ ପଞ୍ଚାୟତବାସୀ ବ୍ଲକ ସମ୍ମୁଖରେ ଗଣଧାରଣାରେ ବସିି ରହିଛନ୍ତି। ଘଟଣାସ୍ଥଳରେ ବିଡିଓ ରବିନ୍ଦ୍ର କୁମାର ମଲ୍ଲିକ ପହଞ୍ଚି ଧାରଣାକାରୀମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଯିଦରେ ଅଟଳ ରହିଛନ୍ତି। ଏସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରୁ ଏହା ବିରୋଧୀଙ୍କ ଚକ୍ରାନ୍ତ ଏବଂ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି ବୋଲି କହିଛନ୍ତି।