ବ୍ଲକସ୍ତରୀୟ ସୁନେତ୍ର ଶିକ୍ଷକ ତାଲିମ

ରଣପୁର,୨୨।୮(ସ୍ବ.ପ୍ର.): ନୟାଗଡ ଜିଲା ରଣପୁର ଏନଏସି ଅନ୍ତର୍ଗତ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟ ପରିସର ମଧ୍ୟରେ ବୁଧବାର ସୁନେତ୍ର କାର୍ଯ୍ୟ ଉପରେ ବ୍ଲକସ୍ତରୀୟ ଏକ ଶିକ୍ଷକ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରଣପୁର ବ୍ଲକର ନରସିଂହପୁର, ଗୌରାଙ୍ଗପୁର,ରଣପୁର, ଡମସାହି, ବ୍ରଜରାଜପୁର କ୍ଲଷ୍ଟରର ଶିକ୍ଷୟିତ୍ରୀ ଶିକ୍ଷକମାନେ ଉପସ୍ଥିତ ରହି ତାଲିମ ଗ୍ରହଣ କରିଥିଲେ । ବିଦ୍ୟାଳୟ ସ୍ତରରେ ଶିକ୍ଷାର୍ଥୀମାନଙ୍କର ଚକ୍ଷୁ ଦୋଷ ଚିହ୍ନଟ ଓ ଏହାର ପ୍ରତିକାର ସମ୍ବନ୍ଧରେ ଶିକ୍ଷକମାନଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ରଣପୁର ସରକାରୀ ଡାକ୍ତରଖାନାର ଚକ୍ଷୁଡାକ୍ତର ଡ. ବିଜୟଲକ୍ଷ୍ମୀ ଶତପଥୀ ତାଲିମ ପ୍ରଦାନ କରିଥିଲେ । ବିଆରପି ସନ୍ତୋଷ କୁମାର ମହାପାତ୍ର , ମାନସ କୁମାର ପାଲଟାସିଂ ଓ ସୁଜାତା ସାହୁ ପ୍ରମୁଖ ସହଯୋଗ କରିଥିଲେ ।