ବ୍ରିଟେନ କବ୍‌ଜାରେ ଇରାନର ‘ଗ୍ରେସ୍‌ ୧’

ମାଦ୍ରିଦ୍‌,୫।୭ (ପି.ଟି.):ୟୁରୋପୀୟ ସଂଘ (ଇୟୁ) ଦ୍ୱାରା ଜାରି କଟକଣା ଉଲ୍ଳଂଘନ କରିବା ଅଭିଯୋଗରେ ଇରାନର ଏକ ବିଶାଳ ତୈଳ ଜାହାଜ ଜିବ୍ରାଲ୍‌ଟରରେ ଧରାପଡ଼ିଛି। ଗ୍ରେସ୍‌ ୧ ନାମକ ଏହି ସୁପରଟ୍ୟାଙ୍କର ୨୦ ଲକ୍ଷ ବ୍ୟାରେଲ୍‌ ଅଶୋଧିତ ତୈଳ ପରିବହନ କରି ସିରିଆକୁ ଯାଉଥିବାବେଳେ ଜିବ୍ରାଲ୍‌ଟର ପୋଲିସ ଓ ସୀମାଶୁଳ୍କ ସଂସ୍ଥା ଏହାକୁ ଜବତ କରିଛି। ଏହାର ପ୍ରତିବାଦରେ ବ୍ରିଟେନ୍‌ ରାଷ୍ଟ୍ରଦୂତଙ୍କୁ ତେହେରାନ୍‌ ସମନ କରିବା ପରେ କୂଟନୈତିକ ବିବାଦ ଉଠିଛି।
ଜିବ୍ରାଲ୍‌ଟର ହେଉଛି ସ୍ପେନ୍‌ର ଦକ୍ଷିଣ ଭାଗରେ ଥିବା ଏକ ଛୋଟ ପଥୁରିଆ ଭୂଖଣ୍ଡ, ଯାହା ଉପରେ ବ୍ରିଟେନର ଅଧିକାର ରହିଛି। ଇରାନ୍‌ର ଖର୍ଗ ଦ୍ୱୀପରୁ ଗ୍ରେସ୍‌ ୧ ଅଶୋଧିତ ତୈଳ ନେଇ ସିରିଆର ବାନ୍ୟାସ୍‌ ବିଶୋଧନାଗାରକୁ ଯାଉଥିବାବେଳେ ଗୁରୁବାର ଭୋର ସମୟରେ ଭୂମଧ୍ୟସାଗର ଓ ଆଟଲାଣ୍ଟିକ୍‌ ମହାସାଗର ମଧ୍ୟରେ ଥିବା ଜିବ୍ରାଲ୍‌ଟର ପ୍ରଣାଳୀରେ ଧରାପଡ଼ିଛି। ଯୁଦ୍ଧ ପ୍ରଭାବିତ ସିରିଆ ଉପରେ ଇୟୁ ପକ୍ଷରୁ ଜାରି ହୋଇଥିବା କଟକଣା ଏହି ରିଫାଇନେରି ଉପରେ ମଧ୍ୟ ଲାଗୁ ହୋଇଛି। ତେଣୁ ବ୍ରିଟିଶ୍‌ ରୟାଲ୍‌ ମେରାଇନ୍‌ର ସହଯୋଗରେ ଏହି ତୈଳବାହୀ ଜାହାଜକୁ ଜବତ କରାଯାଇଛି ବୋଲି ଜିବ୍ରାଲ୍‌ଟର ମୁଖ୍ୟମନ୍ତ୍ରୀ ଫାବିଆନ୍‌ ପିକାର୍ଡୋ ସୂଚନା ଦେଇଛନ୍ତି। ସେପଟେ ତେହେରାନର ବହିର୍ବ୍ୟାପାର ମନ୍ତ୍ରଣାଳୟ ଏହି ଜାହାଜକୁ ଜବତ କରିବା ବେଆଇନ ବୋଲି ଦର୍ଶାଇ ବ୍ରିଟେନ ରାଷ୍ଟ୍ରଦୂତଙ୍କୁ ସମନ କରିବା ସହ ସ୍ପଷ୍ଟୀକରଣ ମାଗିଛି। ପ୍ରକାଶ ଯେ, ସିରିଆ ନାଗରିକଙ୍କୁ ହିଂସାମତ୍କ ଉପାୟରେ ଦମନ କରୁଥିବାରୁ ୨୮ ରାଷ୍ଟ୍ରର ସଦସ୍ୟତା ବିଶିଷ୍ଟ ଇୟୁ ୨୭୭ ଏହାର ଅଧିକାରୀ ଓ ମନ୍ତ୍ରୀଙ୍କ ବିରୋଧରେ କଟକଣା ଜାରି କରିଛି।

Share