ବ୍ରିଟିଶ ପାର୍ଲାମେଣ୍ଟ ସ୍ଥଗିତ ନିଷ୍ପତ୍ତିକୁ କୋର୍ଟରେ ଚ୍ୟାଲେଞ୍ଜ:ପ୍ରତିବାଦରେ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ

ଲଣ୍ଡନ,୩୦-୮:ୟୁରୋପୀୟ ସଂଘ (ଇୟୁ)ରୁ ବ୍ରିଟେନର ପ୍ରସ୍ଥାନ ଲାଗି ଆଉ ମାତ୍ର କେଇ ସପ୍ତାହ ବାକି ଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ ପାର୍ଲାମେଣ୍ଟ ଅଧିବେଶନକୁ ସ୍ଥଗିତ ରଖିବା ପାଇଁ ନିଷ୍ପତ୍ତି ନେଇଥିବାରୁ ଏହାକୁ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ୟୁରୋପୀୟ ସମର୍ଥକ ତଥା ବିନା ଚୁକ୍ତିନାମା ବ୍ରେକ୍‌ଜିଟକୁ ବିରୋଧ କରୁଥିତ୍ବା ଏମ୍‌ପିମାନେ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ପାର୍ଲାମେଣ୍ଟକୁ ପାଖାପାଖି ୫ ସପ୍ତାହ ସ୍ଥଗିତ ରଖିବା ପାଇଁ ବୁଧବାର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଏହାକୁ ରାଜନୈତିକ ଦଳ ପକ୍ଷରୁ ବିରୋଧ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପାର୍ଲାମେଣ୍ଟ ସ୍ଥଗିତ ନିଷ୍ପତ୍ତିକୁ ବିରୋଧ କରି ସ୍କଟଲ୍ୟାଣ୍ଡ କଞ୍ଜରଭେଟିଭ ନେତା ରୁଥ୍‌ ଡାଭିଡସନ୍‌ ଇସ୍ତଫା ଦେବା ଫଳରେ ଜନସନଙ୍କୁ ଶକ୍ତ ଝଟ୍‌କା ଲାଗିଛି। ବିରୋଧୀମାନେ ତାଙ୍କ ନିଷ୍ପତ୍ତିକୁ ବିଦ୍ରୋହ ଏବଂ ସମ୍ବିଧାନର ଉଲ୍ଲଂଘନ କହିଛନ୍ତି। ଏହା ଉପରେ ରହିତାଦେଶ ଜାରି ପାଇଁ ଲଣ୍ଡନ, ଏଡିନବରା ଓ ବେଲଫାଷ୍ଟ କୋର୍ଟରେ ଆବେଦନ କରିଛନ୍ତି। ଗୁରୁବାର ହଜାର ହଜାର ଲୋକ ଲଣ୍ଡନ, ମଞ୍ଚେଷ୍ଟର, ଏଡିନବରା ସମେତ ଅନ୍ୟ ସହରରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ୧୪ ଲକ୍ଷରୁ ଊର୍ଦ୍ଧ୍ୱ ଦସ୍ତଖତ ସଂଗ୍ରହ କରିଥିବା ଜଣାପଡିଛି। ପାର୍ଲାମେଣ୍ଟ ଭବନ ନିକଟରେ ବିଶାଳ ର଼୍ୟାଲି କରାଯାଇ ବିଦ୍ରୋହ ବନ୍ଦ କର ସ୍ଲୋଗାନ ଦିଆଯାଇଥିଲା।

Share