ବ୍ରିକ୍ସ: ସାମର୍ଥ୍ୟ ଅଛି ଶକ୍ତି ନାହିଁ

ବ୍ରିକ୍ସ କ୍ରମଶଃ ପ୍ରତିଷ୍ଠା ଲାଭ କଲେ ମଧ୍ୟ ଅନ୍ତର୍ଜାତୀୟ ଆହ୍ବାନଗୁଡିକୁ ମୁକାବିଲା କରିବାରେ ସଫଳ ହୋଇପାରୁନାହିଁ। ସେଥିପାଇଁ ଚଳିତ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତ ପକ୍ଷରୁ ଆହ୍ବାନ ଦିଆଯାଇଛି ଯେ ବିଶ୍ୱ ସ୍ତରୀୟ ସମସ୍ୟାର ମୁକାବିଲା କରିବା ପାଇଁ ବାସ୍ତବବାଦୀ ମାର୍ଗ ଖୋଜିବା ଆବଶ୍ୟକ। ବ୍ରିକ୍ସ ସଂଗଠନ ବିଶ୍ୱର ୧୦ଟି ବିକାଶଶୀଳ ଦେଶର ଅର୍ଥନୀତିକୁ ଏକାଠି କରିପାରିଛି। ଏହା ବିଶ୍ୱ ଜନସଂଖ୍ୟାର ୪୯.୫ ପ୍ରତିଶତ ହୋଇଥିବା ବେଳେ ବିଶ୍ୱ ବାଣିଜ୍ୟର ପାଖାପାଖି ୨୬ ପ୍ରତିଶତ । ପ୍ରଥମେ ୫ଟି ଦେଶ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକାକୁ ନେଇ ବ୍ରିକ୍ସ ସମ୍ମିଳନୀ ଗଠନ କରାଯାଇଥିଲା। ପରେ ୨୦୨୪ରେ ଇଜିପ୍ଟ, ଇଥିଓପିଆ, ଇରାନ, ସଂଯୁକ୍ତ ଆରବ ଏମିରେଟ୍ସକୁ ସାମିଲ କରାଯାଇଛି। ୨୦୨୫ରେ ଇଣ୍ଡୋନେସିଆ ସଦସ୍ୟତା ଗ୍ରହଣ କରିଛି। ଗତବର୍ଷ ସେପ୍ଟେମ୍ବରରେ ଜାତିସଂଘର ସାଧାରଣ ସଭା ଅଧିବେଶନ ପୃଷ୍ଠଭୂମିରେ ଚଳିତ ମାସରେ ନୂଆଦିଲ୍ଲୀରେ ବ୍ରିକ୍ସ ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ବର୍ଷ ମଧ୍ୟ ସେହି ସେପ୍ଟେମ୍ବରରେ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ।
ଏହି ସଂଗଠନର ଆଭିମୁଖ୍ୟ ପ୍ରଥମେ ଠିକ୍‌ଠାକ ଜଣାପଡୁଥିଲା। ଏହାର ଆଭିମୁଖ୍ୟ ସ୍ପଷ୍ଟ ଥିଲା ଯେ ଏକ ବାଣିଜି୍ୟକ ବ୍ୟାଙ୍କ ଖୋଲା ଯାଇ ପଶ୍ଚିମ ଓ ଦକ୍ଷିଣ ଏସିଆ ତଥା ଦକ୍ଷିଣ ଆଫ୍ରିକାର ଅର୍ଥନୈତିକ ଦିଗକୁ ସମୃଦ୍ଧ କରିବ। ଚାଇନା ନିଜ ଦେଶର ସ୍ବାର୍ଥକୁ ଜାବୁଡି ଧରିବାରୁ ବ୍ୟାଙ୍କ ଗଠନର କାର୍ଯ୍ୟକାରିତା ବିଳମ୍ବ ଘଟିଲା। ବ୍ୟାଙ୍କ ଗଠନର ଆଭିମୁଖ୍ୟ ବହୁସୂତ୍ରୀ ଥିଲା। ଏହା ଉପରେ ଆମେରିକାର ଶ୍ୱେନଦୃଷ୍ଟି ପଡିବାରୁ ବୋଧହୁଏ ଏହାର ଅଗ୍ରଗତି ହୋଇପାରିଲା ନାହିଁ। ପଶ୍ଚିମ ଏସିଆ ସଙ୍କଟ ବିଶେଷକରି ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ହଠାତ୍‌ ବ୍ରିକ୍ସ ପାଇଁ ଆହ୍ବାନ ସୃଷ୍ଟିକଲା। ଇରାନକୁ ସହଯୋଗ କରିବା ପାଇଁ ଏବଂ ଆମେରିକାକୁ ମୁକାବିଲା କରିବା ପାଇଁ ଏ ପର୍ଯ୍ୟନ୍ତ କେହି ସାହସ ଜୁଟାଇ ପାରିଲେ ନାହିଁ। ଏହି ଯୁଦ୍ଧର ପ୍ରଭାବ ବ୍ରିକ୍ସ ରାଷ୍ଟ୍ର ସମୂହ ଉପରେ ପଡ଼ିବା ସହ ଶକ୍ତି ଯୋଗାଣ କ୍ଷେତ୍ରରେ ସମସ୍ୟା ଉପୁଜିଛି। ଏହା ଦ୍ୱାରା ବିଶ୍ୱ ଅର୍ଥନୀତି ଦୋହଲି ଯାଇଛି। ଏହି ଘଡିସନ୍ଧି ମୁହୂର୍ତ୍ତରେ ଭାରତ ଦ୍ୱାରା ଆହୂତ ଏହି ସମ୍ମିଳନୀ ଗୁରୁତ୍ୱପୁର୍ଣ୍ଣ ମନେହୁଏ। ଏହି ଦୁଇଦିନିଆ ସମ୍ମିଳନୀରେ ବିଶ୍ୱ ଅର୍ଥନୀତିର ସୁରକ୍ଷା ପାଇଁ ଭାରତ ପକ୍ଷରୁ ଚେତାବନୀ ଦିଆଯାଇଛି ସତ, କିନ୍ତୁ ଚାଇନା ଓ ଅନ୍ୟ ସଦସ୍ୟ ରାଷ୍ଟ୍ର ଏହାକୁ କେତେଦୂର ଗ୍ରହଣ କରିଥିବ ତାହା କୁହାଯାଇ ନ ପାରେ। ଆମେରିକା ମୂଳରୁ ଏହି ସଂଗଠନକୁ ସଫଳ କରାଇ ନ ଦେବା ପାଇଁ ସତର୍କତା ଅବଲମ୍ବନ କରି ଚାଲିଛି। ଜି-୨୦ ରାଷ୍ଟ୍ର ସଂଗଠନକୁ ମଧ୍ୟ ଆମେରିକା ସହ୍ୟ କରିପାରି ନ ଥିବା ବେଳେ ଚାଇନା ନୀରବତା ଅବଲମ୍ବନ କରିଛି। ଜଳବାୟୁ କ୍ଷେତ୍ରରେ ଥିବା ଆହ୍ବାନଗୁଡିକୁ ସବୁବେଳେ ଆମେରିକା ନେତୃତ୍ୱ ନେବା ପ୍ରତିବଦଳରେ ଅଣଦେଖା କରି ଆସିଛି। ଏହି ସମୟରେ ବ୍ରିକ୍ସ ବିଶ୍ୱର ୧୦ଟି ପ୍ରମୁଖ ବିକାଶଶୀଳ ଦେଶର ଅର୍ଥନୀତିକୁ ଏକାଠି କରିବା ନେଇ ଆମେରିକାର ମୁଣ୍ଡବ୍ୟଥାର କାରଣ ହୋଇଛି। ତେଣୁ ଆମେରିକା ପରୋକ୍ଷରେ ଏହି ସଦସ୍ୟରାଷ୍ଟ୍ର ସମୂହ ବିରୋଧରେ ବିଭିନ୍ନ ସମୟରେ ବିଭିନ୍ନ ପଦକ୍ଷେପ ନେଇ ଚାଲିଛି। ବିଶେଷତଃ ଭାରତ ଏହି ସଂଗଠନ ମାଧ୍ୟମରେ ଯେଉଁ ଆହ୍ବାନ ଦେଇ ଚାଲିଛି ତାକୁ ସହଜରେ ଆମେରିକା ରାଷ୍ଟ୍ରପତି ସହ୍ୟ କରିପାରୁନାହାନ୍ତି। ଆମେରିକାର ହୃଦ୍‌ବୋଧ ହୋଇଛି ଯେ ବିକାଶଶୀଳ ବଜାର ଓ ଦେଶଗୁଡିକ ବ୍ରିକ୍ସ ସଂଘ ପ୍ରତି କ୍ରମଶଃ ଆଶାବାଦୀ ହୋଇପଡିଲେଣି। ଏମାନେ ଯଦି ବର୍ତ୍ତମାନର ଆହ୍ବାନଗୁଡିକୁ ଦୂର କରିଦେବେ ତେବେ ଆମେରିକା ରୁଗ୍‌ଣ ହୋଇପଡିବ। ତେଣୁ ଆମେରିକା ସତର୍କ ହେବା ସହିତ କୂଟନୈତିକ ଚାଲ ଭାରତ, ଚାଇନା ସହିତ ଖେଳିବାକୁ ଲାଗିଛି। ଏହା ବ୍ୟତୀତ ଆମେରିକାର ଚିନ୍ତା ବ୍ରିକ୍ସ ବ୍ୟାଙ୍କ ଗଠନ ହେଲେ ଯଦି କେତେକ ଦେଶ ଶକ୍ତି, ଖାଦ୍ୟ, ସାର ଓ ସ୍ବାସ୍ଥ୍ୟ ସୁରକ୍ଷା ସହିତ ଆର୍ଥିକ ସହାୟତା ପାଇପାରିବେ ତେବେ ଆମେରିକାର କର୍ତ୍ତୃତ୍ୱରେ ଥିବା ଅନ୍ତର୍ଜାତୀୟ ସଂଗଠନ ଫାଇଦା ହାସଲ କରିପାରିବେ ନାହିଁ। ଏହା ଆମେରିକା ପାଇଁ ଯେତିକି ଚ୍ୟାଲେଞ୍ଜ ସୃଷ୍ଟି କଲା ସେହି ପରିମାଣର ସଚେତନତା ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ରହିଲା ନାହିଁ।
ନୂଆଦିଲ୍ଲୀଠାରେ ଅନୁଷ୍ଠିତ ବ୍ରିକ୍ସ ବୈଦେଶିକ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ପରେ ଭାରତ ପକ୍ଷରୁ ପ୍ରଧାନମନ୍ତ୍ରୀ ମୋଦି ଯେଉଁ ପଞ୍ଚ ରାଷ୍ଟ୍ରୀୟ ଗସ୍ତ କଲେ ତାହା ମନେହୁଏ ବ୍ରିକ୍ସ ସଂଗଠନକୁ ଆହୁରି ମଜଭୁତ କରିବା ଲକ୍ଷ୍ୟ ଏହା ଭିତରେ ରହିଛି। ସମ୍ପ୍ରତି ବିଶ୍ୱରେ ଶକ୍ତି ସଙ୍କଟ ସୃଷ୍ଟି ହୋଇଥିବା ବେଳେ ଏହାର ମୁକାବିଲା ନିମନ୍ତେ ପ୍ରଧାନମନ୍ତ୍ରୀ ପ୍ରଥମେ ସଂଯୁକ୍ତ ଆରବ ଏମିରେଟସ ଯାଇ ୟୁଏଇ ରାଷ୍ଟ୍ରପତିଙ୍କୁ ଭେଟି ଶକ୍ତି ଏବଂ ସାମୁଦ୍ରିକ କ୍ଷେତ୍ରରେ ସହଯୋଗ ପାଇଁ ୫ଟି ବୁଝାମଣା କରିଛନ୍ତି। ଏହା କାର୍ଯ୍ୟକାରୀ ହେଲେ ଭାରତ ଉପକୃତ ହେବା ସହିତ ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ମଧ୍ୟ ସୁବିଧା ପାଇପାରିବେ। ଉଭୟ ଦେଶ ମଧ୍ୟରେ ଷ୍ଟ୍ରାଟେଜିକ ଡିଫେନ୍ସଶିପ୍‌ ଏକ ବଡ ଚୁକ୍ତିନାମା ସ୍ବାକ୍ଷର ହୋଇଛି। ସେହିଭଳି ପ୍ରଧାନମନ୍ତ୍ରୀ ନେଦରଲାଣ୍ଡ, ସ୍ବିଡେନ, ନରଓ୍ବେ ଓ ଇଟାଲୀ ପ୍ରଭୃତି ଦେଶକୁ ଗସ୍ତକରି ବହୁମୁଖୀ ଲକ୍ଷ୍ୟ ହାସଲ କରିଥିବା ଜଣାପଡେ। ଅପରପକ୍ଷରେ ବ୍ରିକ୍ସ ସମ୍ମିଳନୀ ପରେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଦୁଇଦିନିଆ ଚାଇନ ଗସ୍ତରେ ଯିବା ଅନ୍ତର୍ଜାତୀୟ ମହଲରେ କୌତୂହଳ ସୃଷ୍ଟି କରିଛି। ଅପରପଟେ ଟ୍ରମ୍ପ୍‌ଙ୍କ ଚାଇନା ଗସ୍ତ ମୂଳରେ କୌଣସି ସ୍ପଷ୍ଟ ଆଭିମୁଖ୍ୟ ନ ଥିବା ବିଶେଷଜ୍ଞମାନେ ବିଚାର କରୁଛନ୍ତି। କେବଳ ଚାଇନା ରାଷ୍ଟ୍ରପତିଙ୍କ ସହ ମିଶି ଏକ ସଦ୍ଭାବ ସୃଷ୍ଟି କରିବା ଏକମାତ୍ର ଲକ୍ଷ୍ୟ ଥିଲା। କାରଣ ଚାଇନା ବ୍ରିକ୍ସ ସଂଘର ସଦସ୍ୟ। ଚାଇନା ଓ ଆମେରିକାର ବଜାର ଉପରେ ଗୁରୁତ୍ୱ ଦେଇଥିଲେ ହେଁ କେହି କାହାରି ଅର୍ଥନୈତିକ ଦିଗକୁ ବୁଝାମଣା ଆଳରେ ବଳି ଦେବେ ନାହିଁ। ଏହା ନିରାଟ ସତ୍ୟ। ଯଦି କହିବା ଆମେରିକା, ଚାଇନା ବନ୍ଧୁ ରାଷ୍ଟ୍ର ହୋଇଗଲେ ତେବେ ବିଶ୍ୱବାସୀ ବିଶ୍ୱାସକୁ ନେବେ ନାହିଁ। ଅନ୍ୟପକ୍ଷରେ ଭାରତର ଜନସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ଏକ ବୃହତ୍‌ ବଜାର ପାଲଟିଛି। ତେଣୁ ଭାରତ ସହିତ ଅନ୍ତର୍ଜାତୀୟ ବାଣିଜ୍ୟର ସମ୍ପର୍କ ସ୍ଥାପନ କରିବାକୁ ବିଶ୍ୱର ସମସ୍ତ ଦେଶ ଆଗ୍ରହୀ। ଆମେରିକା, ଚାଇନା ମଧ୍ୟ ସେହିଭଳି ଆଚରଣ ଦେଖାନ୍ତି। କିନ୍ତୁ ଅନ୍ୟ ଦେଶମାନଙ୍କ ଭଳି ନିରନ୍ତର ସମ୍ପର୍କ ନୁହେଁ। ଏଭଳି ଏକ ସମୟ ଆସିଥିଲା ଚାଇନା ଉପରେ ଟ୍ରମ୍ପ୍‌ ଆର୍ଥନୈତିକ କଟକଣା ଲଗାଇଥିଲା ବେଳେ ଚାଇନା ଭାରତ ସହିତ ବନ୍ଧୁତାର ହାତ ବଢାଇଥିଲା। ପୂର୍ବରୁ ବିଶ୍ୱାସଘାତକତା କରିବାରେ ଚାଇନା କୌଣସି ଦିଗ ଛାଡି ନାହିଁ। ତେବେ ଅକାଳେ ଯଦି ବନ୍ଧୁତାର ହାତ ବଢାଏ ତେବେ କ’ଣ ତାହାକୁ ପ୍ରକୃତ ବନ୍ଧୁତା କୁହାଯିବ? ଚାଇନା ରାଷ୍ଟ୍ରପତି ଆମେରିକାକୁ କହିଥିବା ଉକ୍ତି ଅତି ଗୁରୁତ୍ୱପୁର୍ଣ୍ଣ। ବାଣିଜି୍ୟକ ଯୁଦ୍ଧ ସବୁବେଳେ ଲାଗେ, ତାର ଅନ୍ତ ନାହିଁ। କିନ୍ତୁ ସମ୍ପର୍କ ମଧ୍ୟରେ ଯୁଦ୍ଧ ଲାଗିବ କାହିଁକି? ଏ କଥାଟିକୁ ଚାଇନା ରାଷ୍ଟ୍ରପତି ଯଦି ନିଜେ ଉପଲବ୍ଧି କରନ୍ତେ ତେବେ ବିଶ୍ୱ ଶାନ୍ତି ଅବିଳମ୍ବେ ପ୍ରତିଷ୍ଠା ହୋଇପାରନ୍ତା।
ବ୍ରିକ୍ସ ସଂଘରେ ଚାଇନା ପ୍ରମୁଖ ଅଂଶୀଦାର। ଦୀର୍ଘସୂତ୍ରୀ ଯୁଦ୍ଧ ଇରାନ ମଧ୍ୟରେ ଲାଗିଥିଲା ବେଳେ ବିଶ୍ୱର ରାଜନୀତି ଓ ବାଣିଜ୍ୟ ନୀତି ଓଲଟପାଲଟ ହୋଇଗଲାଣି। ଶକ୍ତିର ସଙ୍କଟ ସମଗ୍ର ବିଶ୍ୱକୁ କବଳିତ କଲାଣି। ଏପରି ସ୍ଥିତିରେ ଆମେରିକାକୁ ମୁକାବିଲା କରିବା ପାଇଁ ସମ୍ମିଳିତ ଉଦ୍ୟମ ଜଣାପଡୁନାହିଁ। ଏହି ଯୁଦ୍ଧର ଅନ୍ତଃ ଘଟାଇବା ପାଇଁ ଜାତିସଂଘର କର୍ତ୍ତୃତ୍ୱ ରହିଛି। ଜାତିସଂଘ ଜରିଆରେ ଚାଇନା, ଇଟାଲି, ଫ୍ରାନ୍ସ କିମ୍ବା ରୁଷିଆ ଯେଉଁମାନେ ଭିଟୋ ଶକ୍ତି ଲାଭ କରିଛନ୍ତି ସେମାନେ ବୁଦ୍ଧି ବା ଉପାୟ କାହିଁକି ଅବଲମ୍ବନ କରୁନାହାନ୍ତି। ବ୍ରିକ୍ସ ରାଷ୍ଟ୍ରସଂଘଠାରୁ ଅଧିକ ବଳୀୟାନ ଆମେରିକା ନ ହୋଇପାରେ। ତେଣୁ ବ୍ରିକ୍ସର ସଦସ୍ୟରାଷ୍ଟ୍ର ଚାଇନା, ରୁଷିଆ ଭଳି ରାଷ୍ଟ୍ର ଆଖି ମଳି ମଳି କାନ୍ଦିବା ଆଦୌ ଉଚିତ ନୁହଁ। ସମଗ୍ର ବିଶ୍ୱର ଅର୍ଥନୀତି କ’ଣ ରସାତଳଗାମୀ ହୋଇଗଲେ ଏମାନଙ୍କର ନିଦ ଭାଙ୍ଗିବ? ଏଠାରେ ଆମେରିକା-ଇରାନ ଯୁଦ୍ଧର ବିଭୀଷିକାଠାରୁ ବିଶ୍ୱର ଶକ୍ତି ସଙ୍କଟ, ଅର୍ଥନୀତି ସବୁଠାରୁ ଊର୍ଦ୍ଧ୍ୱରେ। ଏଥିପ୍ରତି ସଚେତନତା ଆବଶ୍ୟକ।

ହରେକୃଷ୍ଣ ପଣ୍ଡା
ସୟେଦପୁର, ଯାଜପୁର
ମୋ: ୯୪୩୭୩୧୫୬୨୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପସ୍ଥିତିରେ ଟ୍ରମ୍ପ ତାଙ୍କ ସ୍ବତନ୍ତ୍ର ପ୍ରତିନିଧି ସର୍ଗିଓ ଗୋରଙ୍କୁ ଫୋନ ମାଧ୍ୟମରେ କ’ଣ ନିର୍ଦ୍ଦେଶ ଦେଇଥିଲେ? ଜାଣନ୍ତୁ…

ନୂଆଦିଲ୍ଲୀ,୨୫।୫: ଆମେରିକାର ସ୍ବାଧୀନତା ଘୋଷଣାର ୨୫୦ତମ ବାର୍ଷିକୀ ପାଳନ ପାଇଁ ଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଆମେରିକୀୟ ରାଷ୍ଟ୍ରଦୂତ ସର୍ଗିଓ ଗୋର ଏବଂ ଆମେରିକାର ବୈଦେଶିକ ସଚିବ…

ଶୀଥିଳ ହୋଇପଡ଼ିଛି ଧାନ ବିକ୍ରି-ଉଠାଣ ପ୍ରକ୍ରିୟା: ଚାଲିଲା ଛାନଭିନ୍‌, ଫସରଫାଟିଲା ଫଲ୍ସ ଏଣ୍ଟ୍ରି

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବିଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୨ସପ୍ତାହ ପୂରି ଯାଇଛି। ହେଲେ ଏବେ ମଧ୍ୟ କେତେକ ମିଲର୍ସ ନିୟମିତ ଭାବେ ଆସୁ ନ…

ଘରୋଇ ବିବାଦୀୟ ଜମିରେ ଗୋଷ୍ଠୀ ସାଂସ୍କୃତିକ କେନ୍ଦ୍ର ନିର୍ମାଣ: ବିଡିଓ ଦୃଷ୍ଟିଦେବାକୁ ଦାବି

ମହାକାଳପଡ଼ା, ୨୫ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କେବି ଦାଣ୍ଡୁଆ ପଞ୍ଚାୟତ ବଗଗହଣ ଗ୍ରାମରେ ବିକଶିତ ଗାଁ ବିକଶିତ ଓଡ଼ିଶା ପ୍ରକଳ୍ପ ଯୋଜନାରେ ଷୋଳ…

ଭତ୍ତା ପାଇଁ ଶାଶୁଙ୍କୁ ୯ କି.ମି. ପିଠିରେ ବୋହିଲେ ବୋହୂ

ଅମ୍ବିକାପୁର,୨୫ା୫: ଛତିଶଗଡ଼ର ସୁର୍ଗୁଜା ଜିଲାରେ ଜଣେ ମହିଳା ତାଙ୍କ ୯୦ ବର୍ଷୀୟା ଶାଶୁଙ୍କ ଭତ୍ତା ଟଙ୍କା ଉଠାଇବା ପାଇଁ ପିଠିରେ ୯ କି.ମି. ବୋହି ବ୍ୟାଙ୍କକୁ ଯିବା…

ସାହିତ୍ୟରେ ଶସ୍ତା ରାଜନୀତି

ହଁଆଜ୍ଞା, ଅକବି ଓ ଅଲେଖକ ପ୍ରବଳ! ଚିନ୍ତାରେ କବି ଓ ଲେଖକକୁଳ। ସବଳ ଡମ୍ଫା,ଡହରା,ଟାଉଟର। ଦୁର୍ବଳ, ସ୍ରଷ୍ଟା, ସାଧକ, କଳାକାର। କବିବର ରାଧାନାଥ ରାୟଙ୍କ କାଳଜୟୀ କବିତାଂଶ;…

ଡାଇବେଟିସ୍‌ ଥିଲେ ରୁହନ୍ତୁ ସତର୍କ, ଏଥିରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ…

ବର୍ତ୍ତମାନ ଏଭଳି ସମୟ ଆସିଛି, ଯେତେବେଳେ ଆମେ ନିଜ ସ୍ବାସ୍ଥ୍ୟ ପ୍ରତି ଅଧିକ ସଚେତନ ରହିବା ନିହାତି ଦରକାର। ଯଦି ଆପଣଙ୍କର ଡାଇବେଟିସ୍‌ କିମ୍ବା ରକ୍ତଚାପ ପରି…

ନକଲି ଆଇନଜୀବୀ

ଦେଶରେ ଥିବା ଆଇନଜୀବୀଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ ଲାଗି ବାର୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆ (ବିସିଆଇ) ପକ୍ଷରୁ ୨୦୨୫ ଜାନୁଆରୀରେ ଏକ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏଥିରେ…

ବୋମା ତିଆରି ପାଇଁ ଏଆଇ ପ୍ଲାଟ୍‌ଫର୍ମ ବ୍ୟବହାର କରିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୨୫ା୫(ପି.ଟି.):ଦିଲ୍ଲୀ ଲାଲ୍‌କିଲ୍ଲା ବିସ୍ଫୋରଣ ମାମଲାରେ ଚାର୍ଜଶିଟ୍‌ ହୋଇଥିବା ଅଭିଯୁକ୍ତଙ୍କର ବୈଶ୍ୱିକ ଆତଙ୍କବାଦୀ ସଂଗଠନ ଅଲ୍‌କାଏଦା ସହ ସମ୍ପୃକ୍ତି ରହିଛି ଓ ସେ ବୋମା ପ୍ରସ୍ତୁତି ପାଇଁ ଆର୍ଟିଫିସିଆଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri