ବ୍ରାହ୍ମଣୀରେ ଡଙ୍ଗା ବୁଡି ୪ ନିଖୋଜ ଘଟଣା ଜଣଙ୍କ ମୃତଦେହ ଉଦ୍ଧାର

ପରଜଙ୍ଗ, ୯।୯ (ଡି.ଏନ.ଏ)- ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ରୋଡ୍‌ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ନିକଟ ବ୍ରାହ୍ମଣୀ ନଦୀରେ ଶନିବାର ଡଙ୍ଗାବୁଡ଼ି ଘଟଣାରେ ଜଣଙ୍କ ମୃତଦେହ ସୋମବାର ଉଦ୍ଧାର କରାଯାଇଛି। ସେ ହେଲେ କୁନ୍ଦନଦେଈପୁର ଗ୍ରାମର ପ୍ରଫୁଲ୍ଲ ଆଚାର୍ଯ୍ୟଙ୍କ ପୁଅ ବିଶ୍ୱଜିତ। ସକାଳେ ସାଆନ୍ଦା ଫାଣ୍ଡି ଅଧୀନ ପାଣିଗେଙ୍ଗୁଟିଆ ଗ୍ରାମ ବ୍ରାହ୍ମଣୀ ନଦୀର ଶକ୍ତିପଦା ପଠା ନିକଟ କାଉଁସି ଗଛଗୁଡିକରେ ମୃତଦେହ ଲାଖିଥିଲା। ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ। ଫାଣ୍ଡି ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ର ସେଠାରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିଲେ। ଖବରପାଇ ପରିବାର ଲୋକେ ମୃତଦେହ ଚିହ୍ନଟ କରିଥିଲେ। ବିଡିଓ ବସନ୍ତ ମଲ୍ଲିକ, ତହସିଲଦାର ଜୟନ୍ତ କୁମାର ଜୟସିଂଙ୍କ ସମେତ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ପୋଲିସ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପରଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ସାନଭାଇ ବିଭୂତିଙ୍କ ଅଭିଯୋଗ କ୍ରମେ ପରଜଙ୍ଗ ଥାନାରେ ନଂ. ୩୦/୧୯ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତଦେହ ପହଞ୍ଚିବା ପରେ ଗ୍ରାମରେ ଶୋକାକୂଳ ପରିବେଶ ଖେଳିଯାଇଥିଲା। ବିଶ୍ୱଜିତଙ୍କ ସ୍ତ୍ରୀ ଇପ୍ସିତା ଚେତାଶୂନ୍ୟ ହୋଇ ଅସୁସ୍ଥ ହୋଇପଡିବାରୁ ତାଙ୍କୁ ତାଳଚେର ମଣ୍ଡାପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଶ୍ୱଜିତ ମାତ୍ର ୪ ମାସ ତଳେ ମେ ୧୭ରେ ମୁଣ୍ଡେଇଲୋ ଗ୍ରାମରେ ବିବାହ କରିଥିଲେ। ଜିଲା ରେଡକ୍ରସ ତରଫରୁ ମୃତକଙ୍କ ପରିବାରକୁ ୧୦ ହଜାର ଟଙ୍କା ଓ ହରିଶ୍ଚନ୍ଦ୍ର ଯୋଜନାରେ ସ୍ଥାନୀୟ ସରପଞ୍ଚ ୨ ହଜାର ଟଙ୍କା ପ୍ରଦାନ କରିଛନ୍ତି।