Categories: ଖେଳ

ବ୍ରାଏଣ୍ଟଙ୍କ ପଦାଙ୍କ ଅନୁସରଣ କରିଥିଲେ ଝିଅ ଜିଆନା

କାଲିଫର୍ନିଆ, ୨୭।୧: କିମ୍ବଦନ୍ତୀ ବାସ୍କେଟବଲ୍‌ ଖେଳାଳି କୋବେ ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ତାଙ୍କ ୧୩ବର୍ଷ ଝିଅ ଜିଆନା ମାରିଆ ମଧ୍ୟ ପ୍ରାଣ ହରାଇଛନ୍ତି। ବାପାଙ୍କ ଭଳି ଝିଅଙ୍କର ମଧ୍ୟ ବାସ୍କେଟବଲ୍‌ ଖେଳରେ ରୁଚି ରହିଥିଲା। ସେ କାଲିଫର୍ନିଆ ମାମ୍ବା ସ୍ପୋଟର୍‌ସ ଏକାଡେମୀରେ ଏଥିପାଇଁ କୋଚିଂ ନେଉଥିଲେ। ବ୍ରାଏଣ୍ଟଙ୍କ ୪ଟି କନ୍ୟା ମଧ୍ୟରେ ଦ୍ୱିତୀୟ ଥିଲେ ଜିଆନା। ସେ ତାଙ୍କୁ ଗେହ୍ଲାରେ ଗିଗି ବୋଲି ଡାକୁଥିଲେ। ଥରେ ଏକ ସାକ୍ଷାତକାରରେ ଆପଣଙ୍କ ପୁଅ ନାହିଁ, ତେଣୁ ପରିବାରରେ ବାସ୍କେଟବଲ ପରମ୍ପରାକୁ ଆଗକୁ କିଏ ବଜାୟ ରଖିବ ବୋଲି କୋବେଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତରରେ ବ୍ରାଏଣ୍ଟ କହିଥିଲେ ମୋର ଏନେଇ ଦୁଃଖ ନାହଁି। ଯଦି ଜିଆନା ବାସ୍କେଟବଲରେ କ୍ୟାରିୟର କରିବାକୁ ଚାହିଁବ, ତେବେ ମୁଁ ତାକୁ ପୂର୍ଣ୍ଣ ସମର୍ଥନ ଦେବି। ଜିଆନା ମଧ୍ୟ ପିତାଙ୍କ ଭଳି ବାସ୍କେଟବଲରେ ପ୍ରସିଦ୍ଧି ହାସଲ କରିବାକୁ ଚାହୁଁଥିଲେ। ୨୦୧୬ରେ ଖେଳରୁ ଅବସର ନେବା ପରେ ବ୍ରାଏଣ୍ଟ ବାସ୍କେଟବଲ କୋଚିଂ ଦେବା ଆରମ୍ଭ କରିଥିଲେ। ପିତାଙ୍କଠାରୁ କୋଚିଂ ନେଉଥିଲେ ଜିଆନା। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ସେ ଭଲ ପ୍ରଦର୍ଶନ ମଧ୍ୟ କରୁଥିଲେ।

Share