ବ୍ରାଉନ୍‌ସୁଗାର ମାଫିଆ ରାଜାଙ୍କ ଘର ଉପରେ ଚଢ଼ାଉ: ଦୁଇଟି ଦାମୀ ଗାଡ଼ି, ୬୦ ହଜାର ଟଙ୍କା ଜବତ

ବାଲେଶ୍ୱର ଅଫିସ/ଜଳେଶ୍ୱର, ୨୩।୯-ବ୍ରାଉନ୍‌ସୁଗାର ମାଫିଆ ସେକ୍‌ ରାଜାଙ୍କୁ ଏସ୍‌ଟିଏଫ୍‌ ୭ ଦିନିଆ ରିମାଣ୍ଡରେ ନେଇ ପଚରାଉଚରା କରିବା ପରେ ବହୁ ତଥ୍ୟ ଏସ୍‌ଟିଏଫ ହାତରେ ଲାଗିଛି। ତାଙ୍କ ତଥ୍ୟକୁ ଆଧାର କରି ଶନିବାର ଏସ୍‌ଟିଏଫ୍‌ ସହଦେବଖୁଣ୍ଟା ମଡେଲ ଥାନା ବିଚାରଗଞ୍ଜ ଫାଣ୍ଡିର ହାବିଲଦାର ରଞ୍ଜନ ସାହୁଙ୍କୁ ଗିରଫ କରିଥିଲା। ରାଜାଙ୍କୁ ପଚରାଉଚରା ପରେ ସେ ବ୍ରାଉନସୁଗାର ସହ ଅନ୍ୟ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ଘରେ ଲୁଚାଇ ରଖିଥିବା ସ୍ବୀକାର କରିଥିଲେ। ଏହି ଆଧାରରେ ରବିବାର ଏସ୍‌ଟିଏଫ୍‌ର ଆଡିଶନାଲ ଏସ୍‌ପି ତେଜରାଜ ପଟେଲଙ୍କ ତତ୍ତ୍ୱାବଧାନରେ ୨ଟି ଟିମ୍‌ ସେକ୍‌ ରାଜାଙ୍କୁ ନେଇ ତାଙ୍କ ଅରଡ଼ବଜାରସ୍ଥିତ ମସଜିଦ୍‌ ଗଳିରେ ଥିବା ବାସଭବନ ଉପରେ ଚଢ଼ାଉ କରିଥିଲା। ଚଢାଉ ସମୟରେ ତାଙ୍କର ମା’ ଏବଂ ସ୍ତ୍ରୀ ଉପସ୍ଥିତ ଥିଲେ। ଏସ୍‌ଟିଏଫ୍‌ ରାଜାଙ୍କ କହିବା ଅନୁସାରେ ତାଙ୍କ ଘରର ଭିନ୍ନ ସ୍ଥାନରେ ଯାଞ୍ଚ କରିଥିଲେ। କୁହାଯାଉଛି ଯାଞ୍ଚ ସମୟରେ ଏସ୍‌ଟିଏଫ୍‌କୁ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଛି। ବ୍ରାଉନ ସୁଗାର ବ୍ୟବସାୟ ଟଙ୍କାରେ ରାଜା କିଣିଥିବା ଦୁଇଟି ଦାମୀ ଗାଡିକୁ ଜବତ କରାଯିବା ସହ ଘର ଭିତରେ ସେ ଲୁଚାଇ ରଖିଥିବା ନଗଦ ୬୦ ହଜାର ଟଙ୍କାକୁ ମଧ୍ୟ ଜବତ କରାଯାଇଛି। ଏସ୍‌ଟିଏଫ୍‌ ତାଙ୍କୁ ପଚରାଉଚରା କରିବା ସମୟରେ ତାଙ୍କୁ ଏହି ବ୍ରାଉନ ସୁଗାର ବ୍ୟବସାୟରେ ସହଯୋଗ କରୁଥିବା ୫ ଜଣ ପୋଲିସ ଅଫିସରଙ୍କ ବିଷୟରେ କହିଥିଲେ। ଏସ୍‌ଟିଏଫ୍‌ ସେ କହିଥିବା ୫ଜଣ ଅଫିସରଙ୍କର ଏଥିରେ ସମ୍ପୃକ୍ତି ଅଛି କି ନାହିଁ ସେନେଇ ମଧ୍ୟ ଏସ୍‌ଟିଏଫ୍‌ ତଦନ୍ତ ଆରମ୍ଭ କରିଦେଇଛି।
ସେହିପରି ଅନ୍ୟ ଏକ ଟିମ୍‌ ସନ୍ଧ୍ୟା ସମୟରେ ତଦନ୍ତ ପାଇଁ ଜଳେଶ୍ୱରରେ ପହଞ୍ଚିଥିଲେ। ସେଠାରେ କେଉଁମାନଙ୍କ ସହ ତାଙ୍କର ସମ୍ପର୍କ ରହିଛି ସେନେଇ ତଦନ୍ତ କରିବା ପାଇଁ ଶେଖବାଡ଼ ଓ ରାଜପୁର ବସ୍ତିରେ ଚଢ଼ାଉ କରିଛନ୍ତି। ଏ ସମ୍ପର୍କରେ ଆଡିଶନାଲ ଏସ୍‌ପି ପଟେଲ କହନ୍ତି, ଅଧିକରୁ ଅଧିକ ପ୍ରମାଣ ଏବଂ ତଥ୍ୟ ସଂଗ୍ରହ ଲାଗି ତଦନ୍ତ ଚାଲିଛି।