ବ୍ରାଉନ୍‌ସୁଗାର ଜବତ, ୨ ଗିରଫ

ସିମୁଳିଆ, ୬।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲାରୁ ଖୋର୍ଦ୍ଧା ଜିଲାର ଜଟଣୀ ଅଞ୍ଚଳକୁ ଚୋରାଚାଲାଣ ବେଳେ ସିମୁଳିଆ ଥାନା ପୋଲିସ ଲକ୍ଷାଧିକ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରି ୨ଜଣ ଯୁବକଙ୍କୁ ଗିରଫ କରିଛି। ସେମାନଙ୍କୁ ରବିବାର କୋର୍ଟଚାଲାଣ କରାଯାଇଛି। ଶନିବାର ବିଳମ୍ବିତ ରାତିରେ ୧୬ ନଂ. ଜାତୀୟ ରାଜପଥରେ ପୋଲିସ ଗାଡ଼ି ଯାଞ୍ଚ କରୁଥିବା ବେଳେ ସେମାନେ ପୋଲିସକୁ ଦେଖି ଦ୍ରୁତଗତିରେ ମୋଟରସାଇକେଲରେ ପଳାଇବାକୁ ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କୁ ଧରି ଯାଞ୍ଚ କରିବାରୁ ବ୍ରାଉନ୍‌ସୁଗାର ମିଳିଥିଲା। ଏହି ଯୁବକ ଦ୍ୱୟ ହେଲେ ଖୋର୍ଦ୍ଧା ଥାନା ଜଟଣୀ ଅଞ୍ଚଳର ଆର୍ସିକ ଖାଁ (୨୬) ଓ ମହମ୍ମଦ ଥଇୟାଜ (୨୪)। ସେମାନଙ୍କୁ ଥାନାକୁ ଆଣି ପଚରାଉଚୁରା କରାଯିବାରୁ ସେମାନେ ଜଟଣୀ ଅଞ୍ଚଳକୁ ବ୍ରାଉନ୍‌ସୁଗାର ନେଇ ଯାଉଥିଲେ ବୋଲି କହିଥିଲେ। ଅଭିଯୁକ୍ତଦ୍ୱୟ ବ୍ୟବହାର କରିଥିବା ମୋଟରସାଇକେଲ (ନଂ. ଓଆର୍‌୧୩ଏଏଲ୍‌-୧୬୪୪)କୁ ପୋଲିସ ଜବତ କରିଛି। ଏଥିରେ ୩୮.୬୪ ମିଲିଗ୍ରାମ୍‌ ଓଜନର ବ୍ରାଉନସୁଗାର ନିଆଯାଉଥିଲା ବୋଲି ଥାନାଧିକାରୀ ସଞ୍ଜୟ ପରିଡ଼ା ସୂଚନା ଦେଇଛନ୍ତି।