ବ୍ରହ୍ମପୁରରେ ଭୋଗି ଉତ୍ସବ: ଜମିଲା ପାରମ୍ପରିକ ଦାଣ୍ଡିଆ ନୃତ୍ୟ

ବ୍ରହ୍ମପୁର ଅଫିସ,୧୪।୧: ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ତେଲୁଗୁ ସମ୍ପ୍ରଦାୟର ଭୋଗି ଉତ୍ସବ ମଙ୍ଗଳବାର ପାଳନ ହୋଇଛି। ଉତ୍ସବର ପ୍ରଥମ ଦିନରେ ସହରରେ ରହୁଥିବା ବହୁ ତେଲୁଗୁ ସମ୍ପ୍ରଦାୟ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ପିଠାପଣା ପ୍ରସ୍ତୁତ ହୋଇଛି। ପରମ୍ପରା ଅନୁଯାୟୀ ପୂର୍ବାହ୍ନରେ ଘରେ ଥିବା ପୁରୁଣା କାଠକୁ ଜାଳି ଭୋଗି ଉତ୍ସବ ପାଳନ କରାଯାଇଥିଲା। ଶତାଧିକ ମହିଳା ଓ ପୁରୁଷ ପୂର୍ଣ୍ଣକୁମ୍ଭ ଧରି ସ୍ଥାନୀୟ ଏସ୍‌ଏନ୍‌ଟି ରୋଡରୁ ଏକ ଶୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରିଥିଲେ । ଏଥିରେ ତେଲୁଗୁ ମହିଳା ସମାଜ, ତେଲୁଗୁ ଭାଷା ବର୍ଦ୍ଧନୀ ସମାଜ ସାମିଲ ହୋଇଥିଲେ। ପରେ ମହିଳାମାନେ ପ୍ରକାଶ ମହଲରେ ପୂର୍ଣ୍ଣକୁମ୍ଭଗୁଡିକ ସ୍ଥାପନ କରିଥିଲେ। ନୂତନ ଚାଉଳରେ ପ୍ରସ୍ତୁତ ଖିରି ମହାଲକ୍ଷ୍ମୀଙ୍କ ନିକଟରେ ପୂଜା କରାଯାଇଥିଲା । ପାରମ୍ପରିକ ପୂଜା ଅର୍ଚ୍ଚନା ପରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ତେଲୁଗୁ ଯୁବତୀ ଓ ମହିଳାମାନେ ଦାଣ୍ଡିଆ ନୃତ୍ୟ ପରିବେଷଣ କରିଥିଲେ । ଭୋଗି କାର୍ଯ୍ୟକ୍ରମକୁ ୧୧ ଜଣିଆ କମିଟି ଓ ୩ ଜଣିଆ ଉପଦେଷ୍ଟା ପରିଚାଳନା କରୁଥିବା ବେଳେ ବୁଧବାର ପୋଙ୍ଗଲ ଉତ୍ସବରେ ଲୋକେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବେ। ସେହିପରି ଗୁରୁବାର କାନୁମା ଉତ୍ସବ ଓ ଶୁକ୍ରବାର ମୁକାନୁମା ଉତ୍ସବ ପାଳନ କରିବେ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବିଧାୟକ ବିକ୍ରମ କୁମାର ପଣ୍ଡା, ବିଜେଡି ରାଜ୍ୟ ସମ୍ପାଦକ ଟି. ଗୋପୀ ପ୍ରମୁଖ ଉପସ୍ଥିତ ଥିଲେ ।