ବ୍ରହ୍ମପୁରରେ ପୋଲିସ ଡିଜି: ଅପରାଧ ସ୍ଥିତି, ୫ଟି ଉପରେ କଲେ ସମୀକ୍ଷା

ବ୍ରହ୍ମପୁର ଅଫିସ,୮।୨: ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ଅଭୟ ଶନିବାର ବ୍ରହ୍ମପୁର ଗସ୍ତରେ ଆସି ଦକ୍ଷିଣାଞ୍ଚଳ ରେଞ୍ଜ ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ୫ଟି ପୋଲିସ ଜିଲାର ଏସ୍‌ପିଙ୍କୁ ନେଇ ସମୀକ୍ଷା କରିଛନ୍ତି। ଦକ୍ଷିଣାଞ୍ଚଳ ପୋଲିସ ରେଞ୍ଜର ଆଇନଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରିବା ସହିତ ମାଓବାଦୀଙ୍କ ଗତିବିଧି ଓ ଅପରାଧ ଉପରେ ସମୀକ୍ଷା କରିଥିଲେ। ବିଶେଷକରି ରାଜ୍ୟ ସରକାରଙ୍କ ମୋ’ ସରକାର କାର୍ଯ୍ୟକ୍ରମ ଅନ୍ତର୍ଗତ ୫ -ଟିର କାର୍ଯ୍ୟକାରିତା, ଅଞ୍ଚଳର ଅପରାଧ ସ୍ଥିତିକୁ ଅଧିକ ଗୁରୁତ୍ୱ ଦିଆଯାଇଥିଲା। ସେହିପରି ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ମାଓବାଦୀ ମୁକାବିଲା, ଗୁଇନ୍ଦା ସଂସ୍ଥାର କାର୍ଯ୍ୟକାରିତାକୁ ନେଇ ଡିଜିପି ଅଭୟ ଏହି ସମୀକ୍ଷା କରିଛନ୍ତି। ଅନ୍ୟପଟେ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ମାମଲାଗୁଡ଼ିକର ସଠିକ ତଦନ୍ତ କରିବା ସହିତ ଦଣ୍ଡବିଧାନ ହାର କିପରି ବୃଦ୍ଧି କରାଯିବ ସେ ନେଇ ଆଲୋଚନା କରାଯାଇଥିଲା। କନ୍ଧମାଳ ଓ ଗଜପତି ଜିଲାରେ ମାଓବାଦୀଙ୍କ ଗତିବିଧି ନିୟନ୍ତ୍ରଣ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଏଡିଜେ (ଗୁଇନ୍ଦା) ରାଧାକୃଷ୍ଣ ଶର୍ମା, ଡିଆଇଜି ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌)ଜୟନାରାୟଣ ପଙ୍କଜ, ଡିଆଇଜି ସ୍ପେଶାଲ ଇଣ୍ଟିଲିଜେନ୍ସ ଓ୍ବିଙ୍ଗ୍‌( ଏସଆଇ ଡବ୍ଲ୍ୟୁ) ଅନିରୁଦ୍ଧ ସିଂ, ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ଗଞ୍ଜାମ ଏସ୍‌ପି ବ୍ରିଜେଶ ରାୟ, ଗଜପତି ଏସ୍‌ପି ସାରା ଶର୍ମା, ବୌଦ୍ଧ ଏସ୍‌ପି ଭି.ରଘୁନାଥ ରାଓ ଏବଂ ଏଏସ୍‌ପି ପ୍ରବସନ ଅଭିଳାଷ ଜୀ ପ୍ରମୁଖ ଉପସ୍ଥିତ ଥିଲେ।