ବୌଦ୍ଧରେ ୧୨ ଘଣ୍ଟିଆ ବନ୍ଦ ପାଳନ

ବୌଦ୍ଧ,୩୦ା୧୦(ସ୍ବ.ପ୍ର.): ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ମାମଲାର ସିବିଆଇ ତଦନ୍ତ ଓ ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗ ହେଉଥିବା ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର କରିବା ଦାବିରେ ଶନିବାର ବୌଦ୍ଧ ଜିଲା ଭାଜପା ପକ୍ଷରୁ ବୌଦ୍ଧ ଜିଲା ବନ୍ଦ ଡାକରା ଦିଆଯାଇଛି। ଶନିବାର ସକାଳ ୬ଟାରୁ ଜିଲାର ନେତା ଓ କର୍ମୀମାନେ ସହରର ବ୍ରିଜ୍‌ ଛକ, ଏଏନ୍‌ସି ଛକ, ବୁଟୁପାଲି ଛକ ଉପରେ ଠିଆ ହୋଇ ବନ୍ଦପାଳନ କରିଥିଲେ। ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ ଉପରେ ବିଭିନ୍ନ ନାରାଦେଇ ନେତା ଓ କର୍ମାମାନେ ବନ୍ଦ କରିଥିଲେ। ଏହି ବନ୍ଦ ଯୋଗୁ ଜିଲାର ସମସ୍ତ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହେବା ସହ ଦୋକାନ ବଜାର, ବିଦ୍ୟାଳୟ ଓ ସରକାରୀ କାର୍ଯ୍ୟାଳୟ, କୋର୍ଟଗୁଡ଼ିକ ବନ୍ଦ ହୋଇଯାଇଛି । ପୂର୍ବାହ୍ନରେ ନେତା ଓ କର୍ମୀମାନେ ସମସ୍ତ ସରକାରୀ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବା ସହ ବନ୍ଦ କରିଥିଲେ। ବନ୍ଦରେ ଅତ୍ୟାବଶ୍ୟକ ସାମଗ୍ରୀକୁ ବାଦ୍‌ ଦିଆଯାଇଛି। ସେହିପରି ଜିଲାର ଚାରିଛକ, ପୁରୁଣାକଟକ, ବାଉଁଶୁଣୀ, ମନମୁଣ୍ଡା ଓ କଣ୍ଟମାଳ ଆଦି ଅଞ୍ଚଳରେ ମଧ୍ୟ ବନ୍ଦ ପାଳନ ହୋଇଛି। ବନ୍ଦପାଳନରେ ଜିଲା ଭାଜପା ସଭାପତି ବିପ୍ର ଚରଣ ମହାନ୍ତି, ଯୁବ ମୋର୍ଚ୍ଚା ସଭାପତି ଅଟଳ କୁମାର ପ୍ରଧାନ ଓ ମହିଳା ମୋର୍ଚ୍ଚା ସଭାନେତ୍ରୀ ମିନାରାଣୀ ମିଶ୍ର ଓ ଉପସଭାନେତ୍ରୀ ନମିତାରାଣୀ ଦାଶ, ମନୋରଞ୍ଜନ ଦାସ, ବନମାଳୀ ରଣା, ଶ୍ୟାମସୁନ୍ଦର ପୁରୋହିତ, ମାଗୁଣି ଗାଇଗୌରିଆଙ୍କ ସମେତ ବହୁ ନେତା ଓ କର୍ମା ସାମିଲ ଥିଲେ।