Categories: ନୟାଗଡ଼

ବୋଲେରୋ ଧକ୍କାରେ ଯୁବକ ମୃତ: ପୂର୍ବ ଶତ୍ରୁତାରୁ ଗାଡ଼ି ଚଢ଼ାଇ ହତ୍ୟା ଅଭିଯୋଗ; ଚାଳକଙ୍କ ଥାନାରେ ଆତ୍ମସମର୍ପଣ

ନୂଆଗାଁ,୪।୮(ଡି.ଏନ.ଏ.): ନୟାଗଡ ଜିଲା ନୂଆଗାଁ ଥାନା ୫୭ ନମ୍ବର ଜାତୀୟ ରାଜପଥ ଡିମିରିଝରିଠାରେ ଶନିବାର ମଧ୍ୟାହ୍ନରେ ବୋଲେରୋ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ପୂର୍ବ ଶତ୍ରୁତାରୁ ତାଙ୍କୁ ଜାଣିଶୁଣି ଗାଡି ଧକ୍କା କରି ମାରି ଦିଆ ଯାଇଥିବା ମୃତକଙ୍କ ପରିବାର ଅଭିଯୋଗ କରିଛନ୍ତି । ମୃତକ ହେଲେ ଡିମିରିଝରି ଗ୍ରାମର ଜଗନ୍ନାଥ ପ୍ରଧାନ (୩୫) । ଦୁର୍ଘଟଣା ପରେ ଗାଡି ଚାଳକ ବ୍ରଜକିଶୋର ସାହୁ (୩୫) ଥାନାରେ ଆତ୍ମସମର୍ପଣ କରିଛନ୍ତି।
ଡିମିରିଝରିଠାରେ ଏକ ମୋଟର ଗ୍ୟାରେଜ କରି ପରିବାର ପ୍ରତିପୋଷଣ କରନ୍ତି । ସେ ଶନିବାର ମଧ୍ୟାହ୍ନ ୧୨ଟାରେ ଗ୍ୟାରେଜରୁ ଚାଲି ଚାଲି ନିଜ ଘରକୁ ଆସୁଥିବାବେଳେ ପଛପଟୁ ଏକ ବୋଲେରୋ ତାଙ୍କୁ ଧକ୍କା ଦେଇ ଚଢି ଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଅନ୍ୟ ଏକ ଗ୍ୟାରେଜ ମାଲିକ ବ୍ରଜକିଶୋର ବୋଲେରୋଟି ଚଳାଉଥିଲେ ଓ ସେ ଜଗନ୍ନାଥଙ୍କୁ ଧକ୍କା ଦେଇଥିଲେ। ଜଗନ୍ନାଥ ଗ୍ୟାରେଜ କରିବା ଦିନଠାରୁ ଉଭୟଙ୍କ ମଧ୍ୟରେ ଶତ୍ରୁତା ଲାଗିରହିଥିଲା । ଗତ କିଛିମାସ ତଳେ ବ୍ରଜଙ୍କ ଗ୍ୟାରେଜରେ ନିଆଁ ଲାଗିଯାଇଥିବା ବେଳେ ସେହି ନିଆଁ ଜଗନ୍ନାଥ ଲଗାଇ ଦେଇଥିବା ନେଇ ବ୍ରଜ ଥାନାରେ ଏତଲା ଦେଇଥିଲେ । ଏ ନେଇ ବ୍ରଜ ଜଗନ୍ନାଥଙ୍କୁ ଜୀବନରେ ମାରି ଦେବା ପାଇଁ ଧମକ ଦେଇ ଆସୁଥିଲେ । ତେଣୁ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ଜଗନ୍ନାଥ ୪ ଦିନ ତଳେ ନୂଆଗାଁ ଥାନାର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ତାଙ୍କ ଅଭିଯୋଗକୁ ଥାନା ଗୁରୁତ୍ୱ ଦେଇ ନ ଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ବ୍ରଜଙ୍କ ଗ୍ୟାରେଜ ଭଙ୍ଗାରୁଜା କରିବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।