ବୈତରଣୀ ନଦୀର ସାଆଁଳା ବାଲିଘାଟ: ଏନ୍‌ଜିଟି ନିର୍ଦ୍ଦେଶକୁ ବେଖାତିର

ଯାଜପୁର ଅଫିସ,୨୩।୧୨: ନଦୀପଠାରୁ ବାଲି ଉତ୍ତୋଳନରେ ମେଶିନ ବ୍ୟବହାର ହୋଇପାରିବ ନାହିଁ। କୌଣସି ମେଶିନ ବ୍ୟବହାର ହେଉଥିଲେ ତାହାକୁ ଜବତ କରିବା ସହିତ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ୨୦୧୭ ଏପ୍ରିଲ ୨୮ରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ (ଏନଜିଟି)ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା। ଯାଜପୁର ଜିଲା ଦେଇ ପ୍ରବାହିତ କୋରେଇ ବ୍ଲକ ସାଆଁଳା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ମାମଲା (ନଂ.୧୬୨/୨୦୧୬/ଇଜେଡ)ର ଶୁଣାଣି କରି ଏନ୍‌ଜିଟି ଏହି ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏହି ନିର୍ଦ୍ଦେଶକୁ ବାଲି ମାଫିଆମାନେ ଖାତିର କରୁ ନ ଥିବା ଦେଖିବାକୁ ମିଳିଛି।
ବୈତରଣୀ ନଦୀ ପାର୍ଶ୍ୱ କୋରେଇ ବ୍ଲକ ଇଚ୍ଛାପୁର ଗ୍ରାମର ଅନନ୍ତଚରଣ ଦାସ, ସାଅଁାଳ ଗ୍ରାମର ଶରତଚନ୍ଦ୍ର ମହାପାତ୍ର ଓ ମାନସ ମହାପାତ୍ର ବେଆଇନ ବାଲି ଘାଟ ଉପରେ ଅଭିଯୋଗ କରି ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ସେମାନେ ତାଙ୍କ ଅଭିଯୋଗରେ ଦର୍ଶାଇଥିଲେ ଯେ, ସାଆଁଳ ବାଲିଘାଟକୁ ମାନୁଆଲ (ହସ୍ତଚାଳିତ) ମାଇନିଂ ଲିଜ ପ୍ରଦାନ କରାଯାଇଛି। ହେଲେ ଲିଜଧାରୀ ଏହାର ଉଲ୍ଲଂଘନ କରି ମେକାନିକାଲ (ଯନ୍ତ୍ରଚାଳିତ) ଖଣିରେ ପରିଣତ କରିଛନ୍ତି। ଯାହାକି ବୈତରଣୀ ନଦୀରେ ସାଂଘାତିକ କ୍ଷତି ହେବାର ଆଶଙ୍କା ପ୍ରକାଶ ପାଇଛି। ଗ୍ରୀନ ଟ୍ରିବ୍ୟୁନାଲରେ ଅଭିଯୋଗ ହେବା ପରେ ୭ା୨ା୨୦୧୭ରେ ତୁରନ୍ତ ମେଶିନ ଓ ଅନ୍ୟାନ୍ୟ ଯାନବାହାନକୁ ଜବତ କରି ଆବଶ୍ୟକ ପଦକ୍ଷେପ ନେବାକୁ ଜଷ୍ଟିସ ଏସ.ପି. ୱାଙ୍ଗଡି ଯାଜପୁର ଏସ୍‌ପି ଓ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତକତ୍ାଳୀନ ଯାଜପୁରରୋଡ ଏସ୍‌ଡିପିଓ ଯୁଗଳକିଶୋର ଦାସ ଏବଂ ଅମିନ ରାମଚନ୍ଦ୍ର ପ୍ରଧାନ ଲିଜ ବାଲିଘାଟକୁ ଯାଇ ତଦନ୍ତ କରିବା ପରେ ଦେବେନ୍ଦ୍ର ଘଡେଇଙ୍କୁ ବୈତରଣୀ ନଦୀର ସାଆଁଳ ମୌଜାର ୧୨.୫୦ ଏକର ପରିମିତ ଅଞ୍ଚଳରେ ପ୍ଲଟ ନମ୍ବର ୦୨/୨୪୮୮, ୨ ଓ ଖାତା ନମ୍ବର ୩୦୧ ରେ ହସ୍ତଚାଳିତ ବାଲି ଖାଦାନ ପାଇଁ ଲିଜ ଦିଆଯାଇଛି। ହେଲେ ଲିଜଧାରୀ ଯନ୍ତ୍ରଚାଳିତଭାବେ ବାଲି ଉଠାଣ କରୁଥିବା ଜଣାପଡିଥିଲା। ଗ୍ରୀନ ଟ୍ରିବ୍ୟୁନାଲଙ୍କ ରାୟ ଅନୁଯାୟୀ ଯନ୍ତ୍ରଚାଳିତ ବାଲିଖାଦାନ ଉପରେ ନିୟମିତଭାବେ ଚଢାଉ କରାଯାଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ପୋଲିସର ରିପୋର୍ଟ ଅନୁଯାୟୀ ଲିଜଧାରୀଙ୍କୁ ପରବର୍ତ୍ତୀ ଦିନ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା। ତେବେ ଏହି ମାମଲାର ଶୁଣାଣି କେବଳ କାଗଜପତ୍ରରେ ସୀମିତ ରହିଛି। ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକାଧିକ ନିର୍ଦ୍ଦେଶ ଓ ଗାଇଡଲାଇନ ଜାରି କରାଯାଉଥିଲେ ମଧ୍ୟ ବେଆଇନ ବାଲି କାରବାର ବନ୍ଦ ହେଉନାହିଁ। ଏ ସଂକ୍ରାନ୍ତରେ ବ୍ୟାସନଗର ଭାରପ୍ରାପ୍ତ ତହସିଲଦାର ସସ୍ମିତା ସ୍ବାଇଁଙ୍କୁ ପଚାରିବାରୁ, ଏନ୍‌ଜିଟି ନିର୍ଦ୍ଦେଶ ସମୟରେ ସେ ଏଠାରେ ନ ଥିଲେ। ତେଣୁ ମାମଲା ସମ୍ପର୍କରେ ସେ କିଛି ଜାଣି ନାହାନ୍ତି। କାର୍ଯ୍ୟାଳୟରେ ସମ୍ପୃକ୍ତ କାଗଜପତ୍ର ଦେଖିବା ପରେ ସେ କିଛି କହିପାରିବେ। ତଥାପି ଆବଶ୍ୟକ ତଦନ୍ତ କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।