ବେଳାଭୂମିରୁ ବିଦେଶୀ ନାଗରିକଙ୍କ ଗଳିତ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଆରମ୍ଭ

ପାରାଦୀପ,୩୧।୮(ସ୍ବ.ପ୍ର.): ପାରାଦୀପ ବନ୍ଦର ୫ ନଂ ଗେଟ୍‌ ପାଖ ହନୁମାନ ମନ୍ଦିର ସୀମା ସମୁଦ୍ର ବେଳାଭୂମିରୁ ଶନିବାର ସକାଳେ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହକୁ ପୋଲିସ ଉଦ୍ଧାର କରିଛି। ମୃତକଙ୍କ ଶାରିରୀକ ଗଠନ ଓ ବର୍ଣ୍ଣରୁ ସେ ଜଣେ ବିଦେଶୀ ବୋଲି ଅନୁମାନ କରାଯାଉଛି। ହେଲେ ମୃତକଙ୍କ ପରିଚୟ ମିଳିନାହିଁ। ତେବେ ସେ କୌଣସି ପଣ୍ୟବହାରୀ ଜାହାଜର ନାବିକ ହୋଇଥାଇପାରନ୍ତି ସନ୍ଦେହ କରି ପୋଲିସ ସେ ଦିଗରେ ମଧ୍ୟ ତଦନ୍ତ ଚଳାଇଛି। ଏଥିପାଇଁ ଜଟାଧାର ମୁହାଁଣ ସାମୁଦ୍ରିକ ଥାନା ପୋଲିସ ଇମିଗ୍ରେସନ(ଆପ୍ରବସାନ) ବିଭାଗର ସହାୟତା ଲୋଡ଼ିଛି।

ସୂଚନାନୁଯାୟୀ, ଉକ୍ତ ସ୍ଥାନରେ ମୂତୟନ ଥିବା ସିଆଇଏସ୍‌ଏଫ୍‌(କେନ୍ଦ୍ରୀୟ ଶିଳ୍ପ ସୁରକ୍ଷାବଳ) ଯବାନମାନେ ସକାଳେ ମୃତଦେହକୁ ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା(୩/୧୯) ରୁଜୁ କରିଛି। ମୃତକ ଚାଇନା କିମ୍ବା ଦକ୍ଷିଣ କୋରିଆର ନାଗରିକ ଏବଂ ଦୁଇ ରୁ ତିନି ଦିନ ତଳେ ତାଙ୍କ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି।