ବେଲ୍‌ ଖାରଜ, ଗଲେ ଜେଲ

ଅନୁଗୋଳ ଅଫିସ, ୨୭।୪: ଅନୁଗୋଳ ସହର ଉପକଣ୍ଠ କରଡ଼ାଗାଡ଼ିଆ ମଦ ଭାଟିର ମାଲିକ ବିକ୍ରମ କିଶୋର ସାହୁଙ୍କୁ ରବିବାର ପୋଲିସ ଜେଲ୍‌ ପଠାଇ ଦେଇଛି। ଅପରାହ୍ନରେ ଜିଲା ମୁଖ୍ୟ ଚିକିତ୍ସାଳୟରୁ ଡିସ୍‌ଚାର୍ଜ ହେବା ପରେ ତାଙ୍କୁ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଜେଏମ୍‌)ଙ୍କ ଅଦାଲତରେ ହାଜର କରାଯାଇଥିଲା। ସେଠାରେ ବେଲ୍‌ ଆବେଦନ ଖାରଜ ହୋଇଯିବାରୁ ପୋଲିସ ବିକ୍ରମଙ୍କୁ ଅନୁଗୋଳ ଜେଲକୁ ପଠାଇ ଦେଇଛି।
ପ୍ରକାଶ ଯେ, ଚୋରା ମଦ କାରବାର ଅଭିଯୋଗରେ ଶୁକ୍ରବାର ସକାଳେ ଅନୁଗୋଳ ପୋଲିସ ବିକ୍ରମଙ୍କୁ ତାଙ୍କ ବାସଭବନରୁ ଗିରଫ କରିଥିଲା। ତାଙ୍କ ନାମରେ ଥିବା କରଡ଼ାଗାଡ଼ିଆ ମଦ ଭାଟିରୁ ପୋଲିସ ୪୪୪୦ ଲିଟର ଦେଶୀ ମଦ ସହ ୬ ହଜାର ଲିଟର ପୋଚ ଓ ୩୦ଟି ପ୍ଲାଷ୍ଟିକ ଜାର ଜବତ କରିଥିଲା। ଏହି ଘଟଣାରେ ବିକ୍ରମଙ୍କ ସହ ମୋଟ୍‌ ୪୩ ଜଣଙ୍କୁ ଗିରଫ କରାଯାଇଥିଲା। ହେଲେ ମେଡିକାଲରେ ସ୍ବାସ୍ଥ୍ୟପରୀକ୍ଷା ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରୁଥିବା କହିବାରୁ ୩ ଜଣ ଡାକ୍ତର ତାଙ୍କୁ ଅସୁସ୍ଥ ଘୋଷଣା କରିଥିଲେ। ୨ ଦିନ ମେଡିକାଲରେ ଚିକିତ୍ସିତ ହେବା ପରେ ରବିବାର ଅପରାହ୍ନ ୩ଟା ୪୦ରେ ମେଡିସିନ୍‌ ବିଭାଗର ଡାକ୍ତର ଗୋକୁଳାନନ୍ଦ ବେହେରା ବିକ୍ରମଙ୍କୁ ଡିସଚାର୍ଜ କରିଥିଲେ। ଏ ନେଇ ମେଡିକାଲ ପକ୍ଷରୁ ପୋଲିସକୁ ଅବଗତ କରାଯାଇଥିଲା। ଏହାପରେ ଅନୁଗୋଳ ଥାନା ଏସ୍‌ଆଇ ଅରକ୍ଷିତ ସେଠୀ, ପ୍ରକାଶ ମାଝି ଓ ବିପ୍ଳବ ସାହୁ ଏକ ଆମ୍ବୁଲାନ୍ସରେ ତାଙ୍କୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରିଥିଲେ। କିନ୍ତୁ ବିଚାରପତି ବେଲ୍‌ ପିଟିସନ୍‌ ଖାରଜ କରିଦେବାରୁ ସେଠାରୁ ବିକ୍ରମଙ୍କୁ ଜେଲକୁ ନିଆଯାଇଥିଲା। ଜେଲ କର୍ତ୍ତୃପକ୍ଷ ଓ ପୋଲିସ ଏକ ଷ୍ଟେଚରରେ ତାଙ୍କୁ ଭିତରକୁ ନେଇଯାଇଥିବା ଦେଖିବାକୁ ମିଳିଥିଲା। ଅନୁଗୋଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇ କହିଛନ୍ତି, ମେଡିକାଲରୁ ଡିସଚାର୍ଜ ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ବେଲ୍‌ ଖାରଜ ହୋଇଯିବାରୁ ଜେଲ ପଠାଇ ଦିଆଯାଇଛି। ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ ବେହେରା କହିଛନ୍ତି, ଦାୟିତ୍ୱରେ ଥିବା ମେଡିସିନ୍‌ ସ୍ପେଶାଲିଷ୍ଟ ବିକ୍ରମଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିଥିବା କହିବା ପରେ ପୋଲିସକୁ ଅବଗତ କରାଯାଇଥିଲା।