ବେଲଟିକିରିରେ ବଜବଜିଆ ରୋଗ ଆତଙ୍କ: ବାଛୁରି ମୃତ, ୧୨ ଗୋରୁ ଆକ୍ରାନ୍ତ

ଢେଙ୍କାନାଳ ଅଫିସ, ୧୪।୧୧ – ଢେଙ୍କାନାଳ ସଦର ବ୍ଲକ ବେଲଟିକିରି ଗ୍ରାମରେ ବଜବଜିଆ ରୋଗ ଆତଙ୍କ ଦେଖାଦେଇଛି। ଏଥିରେ ଆକ୍ରାନ୍ତ ହୋଇ କୈଳାସ ସାମଲଙ୍କ ଗୋଟିଏ ବାଛୁରିର ମୃତ୍ୟୁ ଘଟିଛି। ୧୨ରୁ ଊର୍ଦ୍ଧ୍ୱ ଗୋରୁ ଆକ୍ରାନ୍ତ ହୋଇଛନ୍ତି। ପ୍ରାୟ ଦେଢ଼ବର୍ଷ ହେଲା ପ୍ରାଣୀଧନ ନିରୀକ୍ଷକ ନ ଥିବାରୁ ଚିକିତ୍ସା ସୁବିଧା ନ ପାଇ ରୋଗାକ୍ରାନ୍ତ ଗୋ-ମହିଷାଦି ପ୍ରାଣୀ ମୃତ୍ୟୁମୁଖରେ ପଡୁଛନ୍ତି। ଏହାକୁ ନେଇ ଗୋ-ପାଳକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଚାଷୀ ବଳରାମ ସାମଲଙ୍କ କହିବା କଥା, ଗ୍ରାମର ଅଧିକାଂଶ ଚାଷୀ। ସେମାନେ ଗୋପାଳନ କରୁଛନ୍ତି। କ୍ଷୀର ବିକ୍ରିକୁ ବ୍ୟବସାୟ ଭାବେ ଗ୍ରହଣ କରି ପରିବାର ପୋଷୁଛନ୍ତି। ଗୋରୁଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଏକ ପ୍ରାଣୀଧନ ନିରୀକ୍ଷକ କେନ୍ଦ୍ର ଅଛି। ହେଲେ ଦୀର୍ଘ ଦିନ ହେଲା ପ୍ରାଣୀଧନ ନିରୀକ୍ଷକ ନାହାନ୍ତି। ଗାଈ, ଗୋରୁଙ୍କ ରୋଗହେଲେ ଚାଷୀକୁଳ ଭାଗ୍ୟ ଆଦରି ରହୁଛନ୍ତି। ବାରମ୍ବାର ଦାବି ସତ୍ତ୍ୱେ ଜିଲା ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅନ୍ୟ ବିକଳ୍ପ ନ ଥିବାରୁ ଚାଷୀମାନେ ଗୋରୁ ବିକିବା ଆରମ୍ଭ କଲେଣି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଉପଖଣ୍ଡ ପ୍ରାଣୀ ଚିକିତ୍ସା ଅଧିକାରୀ ଦାୟିତ୍ୱରେ ଥିବା ଡା. ଲକ୍ଷ୍ମୀନାରାୟଣ ନନ୍ଦ କୁହନ୍ତି, ଏ ନେଇ ଅଭିଯୋଗ ହୋଇ ନ ଥିଲା। ଏବେ ସୂଚନା ମିଳିଛି। ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଜରିଆରେ ଗୁରୁବାର ପ୍ରତିଷେଧକ ଦିଆଯିବା ବ୍ୟବସ୍ଥା କରାଯିବ। ଜଣେ ପ୍ରାଣୀ ନିରୀକ୍ଷକଙ୍କୁ ଗୋରୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯିବାକୁ ନିର୍ଦ୍ଦେଶ ଦିଆଯିବ।