ବେଲଗାମ ହେଲାଣି ନିଶା ଓଷଧ କାରବାର

ଯୋଡ଼ା,୩୧।୮(ଡି.ଏନ.ଏ.)- କେନ୍ଦୁଝର ଜିଲା ଯୋଡା ସହରରେ ନିଶା ଓଷଧ କାରବାର ଅହେତୁକ ପରିମାଣରେ ବୃଦ୍ଧି ପାଇଛି ା ବାହାର ରାଜ୍ୟରୁ ଏହାକୁ ଆଣି ସହରରେ ବିକ୍ରୟ କରାଯାଉଛି ା ପୋଲିସ ଜାଣିଶୁଣି ନୀରବ ରହୁଥିବାରୁ ଏହା ନିଶା ଓଷଧ ବ୍ୟବସାୟୀମାନଙ୍କୁ ବେଶ୍‌ ସୁହାଉଛି ା ଏବେ ନାଇଟ୍ରାଜିପାମ୍‌ (ନାଇଟ୍‌ ୧୦) ନାମକ ମାରାତ୍ମକ ନିଶା ଔଷଧର କାରବାର ସହରରେ ଯଥେଷ୍ଟ ବଢିଛି। ଏଥିସହ କୋରେକ୍ସ କପ୍‌ ସିରପ ଓ ପ୍ଲାଜମୋ ଟାବଲେଟ କାରବାର ମଧ୍ୟ ଜାରି ରହିଛି।
କେତେକ ଆନ୍ତଃୀରାଜ୍ୟ ନିଶା ଔଷଧ ବ୍ୟବସାୟୀ ଓ ଚାଲାଣକାରୀ ଯୋଡାକୁ ଏବେ ଉପଯୁକ୍ତ ସ୍ଥାନ ମନେ କରି ବ୍ୟବସାୟ ବଢାଇ ଚାଲିଥିବା ସୂଚନା ମିଳିଛି। ଫଳରେ ସାହିବସ୍ତିର ଗଳିକନ୍ଦି ସମେତ ବିଭିନ୍ନ ବିଭିନ୍ନ ପାନ ଦୋକାନ, ଗ୍ରୋସରୀ ଦୋକାନ, ଚା’ ଦୋକାନ ଓ କେତେକ ଓଷଧ ଦୋକାନରେ ନିଶା ଔଷଧ ସହଜରେ ମିଳି ପାରୁଛି। ଝାଡଖଣ୍ଡ ରାଜ୍ୟରୁ ଚୋରାରେ ଅଣାଯାଉଥିବା ନାଇଟ୍ରାଜିପାମ୍‌ (ନାଇଟ୍‌ ୧୦) ନିଶା ଔଷଧ ଯୋଡା ସହରକୁ କବଳିତ କରିବାକୁ ବସିଲାଣି। ମଦ, ଭାଙ୍ଗ, ଗଞ୍ଜେଇ ଠାରୁ ଏହା ଅଧିକ ନିଶାଯୁକ୍ତ ହୋଇଥିବାରୁ ଏହାର ଚାହିଦା ବଢିଥିବା ସହରର ଜୈନେକ ଜଣେ ଯୁବକ ନିଜ ନାମକୁ ଗୋପନ ରଖିବାକୁ ଅନୁରୋଧ କରି ପ୍ରକାଶ କରିଛନ୍ତି। ସେ ଆହୁରି କହିଛନ୍ତି, ସହରରେ କୋରେକ୍ସ କପ୍‌ ସିରପ ଓ ପ୍ଲାଜମୋ ଟାବେଲେଟ୍‌ ବିନା ଡାକ୍ତରୀ ଚିଠାରେ ବିକ୍ରି ହେଉଛି। ତେବେ ଏହା ଯଥେଷ୍ଟ ପରିମାଣରେ ମିଳୁ ନ ଥିବାରୁ ନାଇଟ୍ରାଜିପାମ୍‌ ଟ୍ୟାବଲେଟକୁ ଯତେଷ୍ଟ ଚଢାଦାମ୍‌ରେ ବିକ୍ରି କରାଯାଉଛି। ନିଶା ଓଷଧ ସେବନ କରି ନଦୀରେ ଗାଧୋଉଥିବା ବେଳେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ କହୁଛନ୍ତି। ସହରର ଯୁବ ଗୋଷ୍ଠୀ ନିଶା ଔଷଧ ପ୍ରଭାବରେ ସହରରେ ନାନା ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ସଚେତନ ନାଗରିକମାନେ ଅଭିଯୋଗ କରୁଛନ୍ତି। ନିଶା ଔଷଧର ଚାହିଦାକୁ ଦୃଷ୍ଟିରେ ରଖି ଏଠାରେ ନକଲି କୋରେକ୍ସ ପ୍ରସ୍ତୁତ କରି ବିକ୍ରି କରାଯାଉଥିବା ସୂଚନା ମିଳିଛି ା ଉଲ୍ଲେଖନୀୟ ଯେ, କିଛି ବର୍ଷ ପୂର୍ବେ ଯୋଡାରେ ନକଲି କୋରେକ୍ସ ପ୍ରସ୍ତୁତ ହେଉଥିବା ଏକ ସ୍ଥାନକୁ ପ୍ରଶାସନ ଠାବ କରିଥିଲା । ସମ୍ପ୍ରତି ନିଶା ଔଷଧ ବ୍ୟବହାର କରି କେତେକ ଟ୍ରକ, ଡ୍ରମ୍ପର ଚାଳକ ଗାଡି ଚଳାଉଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଧନଜୀବନ ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ଡ୍ରଗସ୍‌ ନିୟନ୍ତ୍ରିଣ ବିଭାଗର ଉଦାସୀନତା ନେଇ ଲୋକେ ପ୍ରଶ୍ନ ଉଠାଉଛନ୍ତି। ପ୍ରଶାସନ ଏହା ଉପରେ ଲଗାମ ନ ଲଗାଇଲେ ଯୋଡା ସହର ନିଶାବଳୟ ମଧ୍ୟକୁ ଚାଲିଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି।