ବେପରୁଆ ଗାଡି ଚାଳକଙ୍କୁ ଧରି ଥାନା ଜିମାଦେଲେ ଲୋକେ

ଲାଠୋର, ୨୬ା୨(ଡି.ଏନ.ଏ.): ବଲାଙ୍ଗୀର ଜିଲା ଲାଠୋର ଥାନା ସଦର ଗ୍ରାମ ଲାଠୋରରେ ବୁଧବାର ବେପରୁଆ ଗାଡି ଚାଳନା କରୁଥିବା ଜଣେ ଚାଳକଙ୍କୁ ଆମ୍ବେଦକର କଲୋନୀର ଯୁବକମାନେ ଧରି ଥାନା ଜିମା ଦେଇଛନ୍ତି। ସୂଚନା ଅନୁଯାୟୀ ମଧ୍ୟାହ୍ନରେ ଏକ ମାଲ ବୋଝେଇ ଟ୍ରକ ନଂ ସିଜି ୦୪ ଏମଏନ ୪୩୪୭ ରାୟପୁରରୁ କଣ୍ଟାବାଞ୍ଜିକୁ ଆସୁଥିଲା। ଲାଠୋର ଗ୍ରାମର ଆମ୍ବେଦକର ଛକ ନିକଟରେ ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ କପା ବୋଝେଇ ଟ୍ରକ ନଂ ସିଜି ୦୪ ଏମଟି ୦୨୦୭କୁ ଏହି ଟ୍ରକ ଧକ୍କାଦେଇ ଦ୍ରୁତ ଗତିରେ ଆଗକୁ ମାଡି ଯାଇଥିଲା। ଏହି ସମୟରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀ ନିକଟରେ ଛିଡା ହୋଇଥିବା କେତେକ ଯୁବକଙ୍କ ଗାଡି ସେମାନଙ୍କ ଆଡକୁ ମାଡି ଆସୁଥିବା ଦେଖି ଭୟରେ ଦୌଡି ପଳାଇଥିଲେ। ପରେ ସମ୍ପୃକ୍ତ ଗାଡି ଡ୍ରାଇଭର ରବି ବୈଷ୍ଣବ ଗାଡିରୁ ଓହ୍ଳାଇ ଓଲଟି କପା ବୋଝେଇ ଟ୍ରକର ଡ୍ରାଇଭର ସୟତ ପିରଅଲ୍ଲୀଙ୍କୁ ମାରପିଟ କରିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଯୁବକମାନେ ରବିଙ୍କୁ କାବୁ କରି ପୋଲିସ ଜିମା ଦେଇଥିଲେ। ପୋଲିସକୁ ମଧ୍ୟ ରବି କୁଆଡେ ଗାଳିଗୁଲଜ କରିଥିଲେ। ଏ ନେଇ ଲାଠୋର ଥାନାରେ ଏକ ମାମଲା (ନଂ. ୧୯/୨୦)ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି। ପୋଲିସ ଉକ୍ତ ଟ୍ରକକୁ ଜବତ କରିଛି।