ବେଧଡ଼କ ଚାଲିଛି ପାଣି ପାଇପ ଚୋରି

କେନ୍ଦୁଝର, ୧୬ା୭ (ସ୍ବ.ପ୍ର.)- ସଦର ଥାନା ଅନ୍ତର୍ଗତ ବଡଘାଗରା ଜଳଭଣ୍ଡାରକୁ ଯାଇଥିବା ରାସ୍ତାକଡରେ ଜଳ ଯୋଗାଣ ପାଇଁ ବିଛାଯାଇଥିବା ପୁରୁଣା ପାଇପ ବେଧଡକ ଚୋରି ହେଉଛି। ସୋମବାର ଦୁର୍ବୃତ୍ତମାନେ ମାଟି ଖୋଳି ପାଇପ ଚୋରି କରୁଥିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଏଠାରେ ସୂଚନା ଯୋଗ୍ୟ ଯେ, ବଡଘାଗରା ଜଳଭଣ୍ଡାରରୁ କେନ୍ଦୁଝର ସହରକୁ ପାନୀୟ ଜଳ ଯୋଗାଣ ହୋଇଥାଏ। ଏଥିପାଇଁ ବଡ ବଡ ପାଇପ ବିଛାଯାଇଛି। ତେବେ କିଛି ବର୍ଷ ତଳେ ପାଇପ ବଦଳାଯାଇ ନୂଆ ପାଇପ ବିଛାଯାଇଥିଲା। ନୂଆ ପାଇପ ବିଛା ଯିବା ପରେ ପୁରୁଣା ପାଇପ ଅଲୋଡା ହୋଇଯାଇଛି ା ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଏହି ଅବ୍ୟବହୃତ ପାଇପ ସବୁକୁ ବିଭାଗ ପକ୍ଷରୁ ସଂଗ୍ରହ କରି ରଖାଯାଉ ନ ଥିବାରୁ ଚୋରି ହୋଇଯାଉଛି ା ଦୁର୍ବୃତ୍ତ ମାନେ ମାଟି ଖୋଳି ଏହି ସବୁ ପାଇପ ନେଇଯାଉଥିବା ବେଳେ କବାଡି ବାଲାଙ୍କୁ ବିକି ଲାଭବାନ ହେଉଛନ୍ତି। ସୁରକ୍ଷା ଅଭାବରୁ ପାଇପ ଚୋରି ହେଉଥିବାରୁ ବ୍ୟାପକ ରାଜସ୍ବ ହାନୀ ଘଟୁଛି। କିଛି ମାସ ତଳେ ପାଇପ ଚୋରି ଘଟଣାରେ ପୋଲିସ କେତେକ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବର୍ତ୍ତମାନ ଏନେଇ ସ୍ଥାନୀୟ ଲୋକ ସୂଚନା ଦେଉଥିଲେ ହେଁ ଧରପଗଡ କରୁନଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଉଛି ା