ବେତନ ବୃଦ୍ଧି ଦାବି କଲା ରାଜସ୍ବ ଅମଲା ସଂଘ

ଢେଙ୍କାନାଳ ଅଫିସ, ୧୮।୨ – ବେତନ ବୃଦ୍ଧି ଦାବି କରିଛି ଢେଙ୍କାନାଳ ଜିଲା ରାଜସ୍ବ ଅମଲା ସଂଘ। ଏ ନେଇ ସୋମବାର ଅପରାହ୍ନ ସାଢ଼େ ୪ଟାରେ ୫ଦଫା ଦାବିନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରାଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ଦିନକୁ ଦିନ ଦରଦାମ ବୃଦ୍ଧି ପାଇବାରେ ଲାଗିଛି। ରାଜସ୍ବ ଅମଲା ସଂଘର କର୍ମଚାରୀମାନେ ପାଉଥିବା ସ୍ବଳ୍ପ ବେତନରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି। ତେଣୁ ୨୦୧୯ ଜୁଲାଇ ୧ରୁ ୫% ଡିଏ ତୁରନ୍ତ ପ୍ରଦାନ କରିବାକୁ ସଂଘ ଦାବି କରିଛି। ଜିଲାରେ ସରକାରୀ କ୍ୱାର୍ଟର୍ସ ସଂଖ୍ୟ ନଗଣ୍ୟ। ସବୁ କର୍ମଚାରୀଙ୍କୁ କ୍ୱାର୍ଟର୍ସ ମିଳୁ ନ ଥିବାରୁ ସେମାନେ ବଧ୍ୟହୋଇ ଅଧିକ ଟଙ୍କା ଦେଇ ଭଡ଼ା ଘରେ ରହୁଛନ୍ତି। ତେଣୁ ତୁରନ୍ତ ଘରଭଡ଼ା ଅଲାଉନ୍ସ ଦେବାକୁ ସଂଘର କର୍ମକର୍ତ୍ତା ଦାବି କରିଛନ୍ତି। ଯୋଗ୍ୟ କର୍ମଚାରୀଙ୍କୁ ପଦୋନ୍ନତିରୁ ବଞ୍ଚତ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରମୋଶନ ଅଦାଲତ ଆରମ୍ଭ ହୋଇଛି। ହେଲେ ପରିତାପର ବିଷୟ ପଦୋନ୍ନତିର ଲାଭ କେବଳ ଅଧିକାରୀଙ୍କୁ ମିଳୁଛି। ଯୋଗ୍ୟ କର୍ମଚାରୀମାନେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଫଳରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବେ କାର୍ଯ୍ୟକାରୀ ହେବ ସେ ନେଇ ରାଜସ୍ବ ସହାୟକ ଏବଂ କର୍ମଚାରୀ ଅପେକ୍ଷା କରିଛନ୍ତି। ଏଥିସହ ପୁନର୍ବାସ ଥଇଥାନ ନୀତିରେ ଗ୍ରୁପ-ଡିରେ ନିଯୁକ୍ତିକୁ ରଦ୍ଦ କରାଯିବାକୁ ସଂଘ ପକ୍ଷରୁ ସ୍ମାରକପତ୍ରରେ ଉଲ୍ଲେଖ ରହିଛି। ଦାବିଗୁଡ଼ିକୁ ବିଚାରକୁ ନେଇ ତୁରନ୍ତ ନ୍ୟାୟ ପ୍ରଦାନ କରିବାକୁ ରାଜସ୍ବ ସଂଘ ପକ୍ଷରୁ ଦାବି କରାଯାଇଛି ।
ଦାବିପତ୍ର ପ୍ରଦାନ ବେଳେ ସଂଘ ସଭାପତି ବିଭୂତି ଭୂଷଣ ପଟ୍ଟନାୟକଙ୍କ ନେତୃତ୍ୱରେ ସମ୍ପାଦକ ପ୍ରକାଶ ସ୍ବାଇଁ, କର୍ମକର୍ତ୍ତା ପ୍ରମୋଦ ବାରିକ, ରବିନାରାୟଣ ସାହୁ, ପ୍ରତାପହରି ପ୍ରଧାନ, ଗୋବିନ୍ଦ ଦାସ, ଦେବଦର୍ଶିନୀ ସ୍ବାଇଁ, ପ୍ରଦୀପ୍ତାରାଣୀ ଶତପଥୀ, ପ୍ରିୟଙ୍କା ମିଶ୍ର, ସୁରମା ପଟ୍ଟନାୟକ, ନିରୁପମା ଭୋଇ, ସନାତନ ସାହୁ ପ୍ରମୁଖ ବହୁ ସଦସ୍ୟ ଉପସ୍ଥିତ ଥିଲେ।