Categories: ଜାତୀୟ

ବେଙ୍ଗାଲୁରୁରେ ପ୍ରଚଣ୍ଡ ଶବ୍ଦ

ନୂଆଦିଲ୍ଲୀ,୨୧ା୫(ପି.ଟି.): ବୁଧବାର ଅପରାହ୍ଣ ୧ଟା ୨୦ ମିନିଟ୍‌। ସାରା ବେଙ୍ଗାଲୁରୁ ସହରରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ଶବ୍ଦ ଶୁଣି ଲୋକେ ଛାନିଆ ହୋଇଗଲେ। କେଉଁଠୁ ଏହି ଶବ୍ଦ ଆସିଲା ଜଣାପଡିଲାନି। ଏହା ଭୂମିକମ୍ପ, ଘଡ଼ଘଡ଼ି ନା ବିମାନ ଶବ୍ଦ କେହି କହିପାରୁନାହାନ୍ତି। ଶବ୍ଦ କେଉଁଠୁ ଆସିଲା ତାହାର ତଦନ୍ତ କରାଯାଉଛି ବୋଲି ବେଙ୍ଗାଲୁରୁ ପୋଲିସ କମିଶନର ଭାସ୍କର ରାଓ କହିଛନ୍ତି। ଉକ୍ତ ଅଞ୍ଚଳରେ ଯୁଦ୍ଧବିମାନ ସେହି ସମୟରେ ଉଡୁଥିଲା କି ନାହିଁ ଜଣାଇବାକୁ ବାୟୁସେନାକୁ କୁହାଯାଇଛି।
ଏହା ଭୂକମ୍ପ ବୋଲି କେତେଜଣ ସନ୍ଦେହ କରୁଥିବାବେଳେ ଯୁଦ୍ଧବିମାନର ‘ସୋନିକ୍‌ ବୁମ୍‌’ ହୋଇଥାଇପାରେ ବୋଲି ଅନ୍ୟ କେତେଜଣ ଅନୁମାନ କରୁଛନ୍ତି। ତେବେ ଉକ୍ତ ସମୟରେ ବାୟୁସେନାର କୌଣସି ବିମାନ ବେଙ୍ଗାଲୁରୁ ଉପରେ ଉଡୁ ନ ଥିଲା ବୋଲି ଏହାର ପ୍ରଶିକ୍ଷଣ କମାଣ୍ଡ ମୁଖ୍ୟାଳୟ ପକ୍ଷରୁ କୁହାଯାଇଛି। ଏଏସ୍‌ଟିଇ ଏବଂ ହାଲ୍‌ ପରୀକ୍ଷାମୂଳକ ଉଡାଣ କରାଇଥାଇପାରନ୍ତି ବୋଲି ମଧ୍ୟ ସନ୍ଦେହ କରାଯାଉଛି। ଭୂକମ୍ପକୁ ମଧ୍ୟ ଖଣ୍ଡନ କରାଯାଇଛି। କାରଣ ସିସ୍‌ମୋମିଟରରେ ଭୂପୃଷ୍ଠରେ କମ୍ପନ ହେବାର କୌଣସି ସୂଚନା ନାହିଁ। ଏହା ସମ୍ପୂର୍ଣ୍ଣ ଅଜଣା ପ୍ରଚଣ୍ଡ ଶବ୍ଦ ବୋଲି କର୍ନାଟକ ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କେନ୍ଦ୍ର ପକ୍ଷରୁ କୁହାଯାଇଛି। ସାମୁଦ୍ରିକ ଝଡ଼ ପ୍ରବାହିତ ହେଉଥିବାରୁ ଗରମ ଓ ଥଣ୍ଡା ପବନ ପରସ୍ପର ମଧ୍ୟରେ ଧକ୍କା ହୋଇ ଶୂନ୍ୟସ୍ଥାନ ସୃଷ୍ଟି କରିବା ଯୋଗୁ ଏଭଳି ଶବ୍ଦ ହୋଇଥିବା ଅନ୍ୟ କେତେଜଣ ସନ୍ଦେହ କରିଛନ୍ତି। ଏହାକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି।

Share