ବେଗୁନିଆରୁ ୧୦ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଅଫିସ୍‌/ବେଗୁନିଆ, ୫ା୩(ଡି.ଏନ୍‌.ଏ.): ବ୍ରାଉନ୍‌ସୁଗାର ବିକ୍ରି କରୁଥିବା ଅଭିଯୋଗରେ ଖୋର୍ଦ୍ଧା ଜିଲା ବେଗୁନିଆ ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ବାଘମାରୀ ଥାନା ଅନ୍ତର୍ଗତ ପୋଡାଡିହ ଗ୍ରାମର ନବକିଶୋର ସାହୁ (୩୮)। ନବକିଶୋର ଦୀର୍ଘଦିନ ହେଲା ବ୍ରାଉନସୁଗାର ବିକ୍ରି କରୁଥିଲେ। ବିଶେଷକରି ସେ ବେଗୁନିଆ ଥାନା ଅଞ୍ଚଳର କେତେକ ଗାଁକୁ ଗାଁ ବୁଲି ବ୍ୟବସାୟ କରୁଥିବା ଖବର ମିଳିଥିଲା। ମଙ୍ଗଳବାର ରାତିରେ ସେ ବେଗୁନିଆ ଥାନା ବଡବେରଣା ଗ୍ରାମରେ ବ୍ରାଉନସୁଗାର ବିକ୍ରି କରୁଥିବା ଖବର ପୋଲିସକୁ ହସ୍ତଗତ ହୋଇଥିଲା। ପୋଲିସ ଟିମ୍‌ ଚଢାଉ କରି ନବକିଶୋରଙ୍କୁ ଗିରଫ କରିବା ସହ ତାଙ୍କଠାରୁ ୧୦ ଗ୍ରାମ୍‌ ବ୍ରାଉନସୁଗାର ଜବତ କରିଥିଲା। ଜବତ ବ୍ରାଉନସୁଗାରର ମୂଲ୍ୟ ୫୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ହେବ। ନବକିଶୋରଙ୍କୁ ବୁଧବାର ଖୋର୍ଦ୍ଧା ଏସଡିଜେଏମ୍‌ କୋର୍ଟରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଖୋର୍ଦ୍ଧା ଉପକାରାଗାରକୁ ପଠାଇ ଦିଆଯାଇଛି ବୋଲି ପୋଲିସ ସୂତ୍ରରୁ ପ୍ରକାଶ।