ବେକାରି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଭାଜପାର ଟାର୍ଗେଟ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ବେକାରି ଏବଂ ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ବେକାରିରେ ଓଡ଼ିଶା ଏକ ନମ୍ବର ବୋଲି ଶନିବାର ବିଧାନସଭାରେ ବିଭାଗୀୟ ମନ୍ତ୍ରୀ କହିବା ପରେ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସ୍କିଲ୍‌ ମିଶନର କଥା କହି ସରକାର ସବୁବେଳେ ବିଭ୍ରାନ୍ତ ସୃଷ୍ଟି କରୁଛନ୍ତି। ମିଛ ତଥ୍ୟ ଦେଇ ପୁରସ୍କାର ନେଉଛନ୍ତି ହେଲେ ନିଯୁକ୍ତି ସୃଷ୍ଟି ପ୍ରସଙ୍ଗରେ କୌଣସି ବଳିଷ୍ଠ ପଦକ୍ଷେପ ଗ୍ରହଣ କରୁନାହାନ୍ତି ବୋଲି ଭାଜପା ଅଭିଯୋଗ କରିଛି। ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସରକାର ‘ଇଚ୍ଛାଶକ୍ତି ଅଭାବ’ ଓ ‘ଆନ୍ତରିକତା ଅଭାବ’ ଭଳି ୨ଟି ରୋଗର ଶିକାର ହୋଇଛନ୍ତି ବୋଲି ଭାଜପା ରାଜ୍ୟ ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଖବରଦାତା ସମ୍ମିଳନୀରେ ପୃଥ୍ବୀରାଜ କହିଛନ୍ତି ଯେ, ରାଜ୍ୟରେ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନା ସମ୍ପୂର୍ଣ୍ଣ ଫେଲ ହୋଇଛି। ଶସ୍ୟ ଅମଳ ପରେ ରୋଜଗାର ଅନ୍ବେଷଣରେ ଚାଷୀମାନେ ଦାଦନ ଖଟିବା ପାଇଁ ବାହାରକୁ ପଳାୟନ କରୁଛନ୍ତି। ସରକାରଙ୍କ ପ୍ରୋତ୍ସାହନ ଅଭାବ, ଶିଳ୍ପମାରଣ ନୀତି ଓ ଉପତ୍ୀଡ଼ନ କାରଣରୁ କ୍ଷୁଦ୍ରଶିଳ୍ପୋଦ୍ୟୋଗୀ ମୃତ୍ୟୁଶଯ୍ୟାରେ ପଡ଼ିଲେଣି। ଏହି କାରଣରୁ ନୂଆ ଶିଳ୍ପୋଦ୍ୟୋଗୀମାନେ ନୂତନ ଶିଳ୍ପ ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏଭଳି ସ୍ଥିତିରେ କିପରି ନିଯୁକ୍ତି ସୃଷ୍ଟି କରାଯାଇପାରିବ ସରକାର କୁହନ୍ତୁ। ୫ ଲକ୍ଷ କୋଟି ନିବେଶ ଶିଳ୍ପାୟନର ସ୍ବପ୍ନ ଦେଖାଇ ଭୁଆଁ ବୁଲାଉଥିବା ସରକାର ଗତ ୫ବର୍ଷରେ କେତେ ସଂଖ୍ୟାରେ ନୂତନ ଶିଳ୍ପ ଏବଂ ନୂତନ ନିଯୁକ୍ତି ସୃଷ୍ଟି କରିଛନ୍ତି କୁହନ୍ତୁ। ଏନେଇ ଶ୍ୱେତପତ୍ର ଜରିଆରେ ସମସ୍ତ ତଥ୍ୟ ପ୍ରକାଶ କରିବାକୁ ପୃଥ୍ବୀରାଜ ଦାବି କରିଛନ୍ତି।