ବେଆଇନ ମେଡିସିନ ବିକ୍ରି ଅଭିଯୋଗ : ହୋମିଓପାଥିତ୍କ ଡାକ୍ତର ଗିରଫ

କୋରାପୁଟ,୨୬।୧୦(ସ୍ବ.ପ୍ର.) : କୋରାପୁଟ ସହରର ବସଷ୍ଟାଣ୍ଡ ଅଞ୍ଚଳରେ ଥିବା ଏକ ହୋମିଓପାଥିକ୍‌ କ୍ଲିନିକ୍‌ରେ ବେଆଇନ ମେଡିସିନ୍‌ ରଖିବା ଅଭିଯୋଗରେ ଶନିବାର କୋରାପୁଟ ଟାଉନ ପୋଲିସ ଜଣେ ଡାକ୍ତରଙ୍କୁ ଗିରଫ କରିଛି। ଏଥିସହିତ କ୍ଲିନିକରୁ ବହୁ ମେଡିସିନ୍‌ ମଧ୍ୟ ଜବତ କରାଯାଇଥିବା ଟାଉନ ଥାନା ଅଧିକାରୀ ପୀତବାସ ଧାରୁଆ ପ୍ରକାଶ କରିଛନ୍ତିି।
ସୂଚନାଯୋଗ୍ୟ, ସହରର ବସଷ୍ଟାଣ୍ଡ ଠାରେ ଡାକ୍ତର ପ୍ରସନ୍ନ କୁମାର ମହାପାତ୍ରଙ୍କ କ୍ଲିନିକ ଉପରେ କୋରାପୁଟ ଟାଉନ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ୪୦ ପ୍ରତିଶତ ଆଲକହଲ ରହିଥିବା ମେଡିସିନ (ପ୍ରତି ଶହେ ଏମ୍‌ଏଲ୍‌) ୯ଟି ଓ ଟନିକ୍‌ ୮ପ୍ଲସ ୧୮ଟି ବୋତଲ ଜବତ କରିଥିବାବେଳେ ଡାକ୍ତର ମହାପାତ୍ରଙ୍କୁ ଗିରଫ କରାଯାଇଛି। ସେହିପରି କ୍ଲିନିକ୍‌ରୁ ଏହି ନିଷେଧ ମେଡିସିନ ୬ ପେଟି ଜବତ କରାଯାଇଛି। ଏହି ମେଡିସିନ କାହାକୁ ଏବଂ କେଉଁ ପ୍ରେସ୍‌କ୍ରିପ୍‌ଶନ ଦେଖି ସଂପୃକ୍ତ ଡାକ୍ତର ପ୍ରଦାନ କରିଛନ୍ତି ସେ ନେଇ ପୋଲିସ ପକ୍ଷରୁ ତଦନ୍ତ ଚାଲିଛି। କିଛି ବର୍ଷ ତଳେ ଏହି କ୍ଲିନିକରେ ଜିଲା ଡ୍ରଗ୍ସସ୍କ୍ବାଡ ପକ୍ଷରୁ ଚଢ଼ାଉ କରାଯାଇ ବହୁ ପରିମାଣର ମେଡିସିନ ଜବତ କରାଯାଇଥିଲା। ଲୁଚାଛପାରେ ବେଆଇନ ଔଷଧ ବିକ୍ରି କରି ଡାକ୍ତର ମାଲାମାଲ ହେଉଥିବା ଲୋକେ ଅଭିଯୋଗ କରିଆସୁଥିଲେ। ଏନେଇ ଜିଲା ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ ହେବା ପରେ ଏସ୍‌ପି ମୁକେଶ କୁମାର ଭାମୁଙ୍କ ନିର୍ଦ୍ଦେଶ କ୍ରମେ କୋରାପୁଟ ଟାଉନ ପୋଲିସ ପକ୍ଷରୁ ଶନିବାର ଚଢ଼ାଉ କରାଯାଇଛି। ଏନେଇ କୋରାପୁଟ ଟାଉନ ଥାନାରେ ୨୬୪/୧୯ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।